Mon. Jun 15th, 2026

ନ୍ୟୁଜ ଡେକ୍ସ : ମାନବ ସମ୍ବଳ ଓ ଅର୍ଥ ସଞ୍ଚୟର ଏକ ପ୍ରମୁଖ ମାଧ୍ୟମ ଭାବେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି। ବିଭିନ୍ନ କ୍ଷେତ୍ରରେ ଏହି ପ୍ରଯୁକ୍ତିର ସଫଳ ପ୍ରୟୋଗ ହେଉଥିବା ବେଳେ ଏହାର ପରିବେଶଗତ ପ୍ରଭାବକୁ ନେଇ ନୂଆ ଚିନ୍ତା ପ୍ରକାଶ ପାଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଉନ୍ନତ ପ୍ରଯୁକ୍ତିର ବଢ଼ୁଥିବା ଶକ୍ତି ଓ ଜଳ ବ୍ୟବହାରକୁ ନେଇ ସତର୍କ କରାଯାଇଛି।ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ବିଶ୍ୱର ମୋଟ ବିଦ୍ୟୁତ୍ ବ୍ୟବହାରର ପ୍ରାୟ ୩ ପ୍ରତିଶତ କେବଳ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧୀୟ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହୋଇପାରେ।

ଏହା ସହିତ ଏହି କ୍ଷେତ୍ରରୁ ହେଉଥିବା ନିର୍ଗମନ ଏକ ବିକଶିତ ଦେଶର ସମୁଦାୟ ନିର୍ଗମନ ସହ ସମାନ ହୋଇପାରେ ବୋଲି ଆକଳନ କରାଯାଇଛି।ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଏହି ପ୍ରଯୁକ୍ତି ପାଇଁ ବ୍ୟବହୃତ ବୃହତ୍ ତଥ୍ୟ କେନ୍ଦ୍ରଗୁଡ଼ିକୁ ଥଣ୍ଡା ରଖିବାରେ ଆବଶ୍ୟକ ହେଉଥିବା ଜଳର ପରିମାଣ। ରିପୋର୍ଟରେ କୁହାଯାଇଛି ଯେ ଏହି ଉଦ୍ଦେଶ୍ୟରେ ଭବିଷ୍ୟତରେ ବହୁ ପରିମାଣର ଜଳ ଆବଶ୍ୟକ ହେବ, ଯାହା ବିଶ୍ୱ ଜଳ ସଙ୍କଟକୁ ଆହୁରି ଗମ୍ଭୀର କରିପାରେ। ବିଶେଷଜ୍ଞମାନଙ୍କ ମତରେ, ଗୋଟିଏ ପଟେ ସମ୍ବଳ ସଞ୍ଚୟ ପାଇଁ ଏହି ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଅନ୍ୟପଟେ ଏହା ଯଦି ବିପୁଳ ପରିମାଣରେ ବିଦ୍ୟୁତ୍ ଓ ଜଳ ବ୍ୟବହାର କରେ, ତେବେ ଏହାର ଦୀର୍ଘମିଆଦି ପ୍ରଭାବ ଗୁରୁତର ହୋଇପାରେ।

ଏଥିସହିତ ମାନବ ସମାଜ ଏହି ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।ଏଭଳି ପରିସ୍ଥିତିରେ ପରିବେଶ ସୁରକ୍ଷା, ଜଳ ସଞ୍ଚୟ, ସ୍ୱଚ୍ଛତା ଏବଂ ନ୍ୟାୟସଙ୍ଗତ ବ୍ୟବହାରକୁ ଗୁରୁତ୍ୱ ଦେଇ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ ସୁସ୍ପଷ୍ଟ ନୀତି ଓ ଭବିଷ୍ୟତ ରୂପରେଖା ପ୍ରସ୍ତୁତ କରିବାର ଆବଶ୍ୟକତା ଅନୁଭୂତ ହେଉଛି। ବିଶେଷଜ୍ଞମାନଙ୍କ ମତରେ, ପ୍ରଯୁକ୍ତିଗତ ଅଗ୍ରଗତି ଓ ପରିବେଶ ସନ୍ତୁଳନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ହିଁ ଆଗାମୀ ଦିନର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।

Leave a Reply

Your email address will not be published. Required fields are marked *