Mon. Jun 15th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୨୧ ତାରିଖରେ ହେବାକୁ ଥିବା ନିଟ୍‌ ପୁନଃପରୀକ୍ଷାକୁ ନେଇ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ସୁବିଧାରେ ପହଞ୍ଚିବା ପାଇଁ ନିଟ୍‌ ପରୀକ୍ଷାର୍ଥୀମାନେ ସରକାରୀ ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ।ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଏହି ପୁନଃପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୫୬ ହଜାର ୯୮୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏତେ ସଂଖ୍ୟକ ପରୀକ୍ଷାର୍ଥୀଙ୍କ ଯାତାୟାତକୁ ସହଜ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ନିଜର ବୈଧ ପ୍ରବେଶ ପତ୍ର ଦେଖାଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ରେ ବିନା ଭଡ଼ାରେ ଯାତ୍ରା କରିପାରିବେ।ଗ୍ରୀଷ୍ମ ପ୍ରବାହ ଓ ଦୂରଦୂରାନ୍ତରୁ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଧ୍ୟାନରେ ରଖି ସରକାର ଏହି ସୁବିଧା ଯୋଗାଇଛନ୍ତି। ଆର୍ଥିକ ଭାବେ ଦୁର୍ବଳ ପରିବାରର ଛାତ୍ରଛାତ୍ରୀମାନେ ଯେପରି ଯାତାୟାତ ନେଇ କୌଣସି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଏହା ଏକ ବଡ଼ ସହାୟତା ହେବ। ପରୀକ୍ଷା ସମୟରେ ବ୍ୟବସ୍ଥାକୁ ସୁଚାରୁ ଭାବେ ଚଳାଇବା ପାଇଁ ପରିବହନ ବିଭାଗ ସମ୍ପୃକ୍ତ ସଂସ୍ଥାମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି।

ପରୀକ୍ଷାର୍ଥୀଙ୍କ ଯାତ୍ରା ସୁବିଧା ଉପରେ ବିଶେଷ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ଏହା ପୂର୍ବରୁ ପଞ୍ଜାବ ସରକାର ମଧ୍ୟ ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଘୋଷଣା କରିଥିଲେ। ପଞ୍ଜାବରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ମଧ୍ୟରୁ ଜଣଙ୍କୁ ଜୁନ୍ ୨୦ରୁ ଜୁନ୍ ୨୨ ପର୍ଯ୍ୟନ୍ତ ସରକାରୀ ବସ୍‌ରେ ମାଗଣା ଯାତ୍ରା ସୁବିଧା ଦିଆଯାଇଥିଲା।ନିଟ୍‌ ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଯାତାୟାତ ଚିନ୍ତାରୁ ମୁକ୍ତ କରିବା ସହ ସେମାନଙ୍କୁ ସୁବିଧାଜନକ ପରିବେଶ ଦେବା ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଛି।

Leave a Reply

Your email address will not be published. Required fields are marked *