Wed. Jun 17th, 2026

ନ୍ୟୁଜ ଡେକ୍ସ : ପ୍ରଶାନ୍ତ ମହାସାଗରରେ ସକ୍ରିୟ ହୋଇଛି ଏକ ଶକ୍ତିଶାଳୀ ଏଲ୍‌ ନିନୋ ପ୍ରକ୍ରିୟା। ଏହାର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ବିଶ୍ୱର ବିଭିନ୍ନ ଅଞ୍ଚଳର ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେବା ସହ ଚରମ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରିଛନ୍ତି।ଏହି ପ୍ରକ୍ରିୟା ଯୋଗୁଁ ପୃଥିବୀର ଅନେକ ସ୍ଥାନରେ ପ୍ରଚଣ୍ଡ ଗରମ, ଦୀର୍ଘ ସମୟ ଧରି ମରୁଡ଼ି ଏବଂ ଭୟଙ୍କର ବନ୍ୟା ଭଳି ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି।

ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନର ଆକଳନ ଅନୁଯାୟୀ, ଆସନ୍ତା ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଏହି ପ୍ରକ୍ରିୟା ଅତ୍ୟଧିକ ଶକ୍ତିଶାଳୀ ହେବାର ସମ୍ଭାବନା ପ୍ରାୟ ୬୩ ପ୍ରତିଶତ ରହିଛି।ବିଶେଷଜ୍ଞମାନଙ୍କ ମତରେ, ୧୯୫୦ ମସିହା ପରେ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍‌ ନିନୋ ମଧ୍ୟରୁ ଗୋଟିଏ ହୋଇପାରେ। ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣଠାରୁ ଅଧିକ ବଢ଼ିଲେ ବାୟୁମଣ୍ଡଳର ସ୍ୱାଭାବିକ ଚଳନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ। ଏହାର ପ୍ରଭାବରେ ବର୍ଷା ଓ ତାପମାତ୍ରାରେ ବଡ଼ ଅସନ୍ତୁଳନ ଦେଖାଯାଇପାରେ। ଭାରତରେ ମଧ୍ୟ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି। ସାଧାରଣତଃ ଏଲ୍‌ ନିନୋ ସକ୍ରିୟ ହେଲେ ଦେଶରେ ମୌସୁମୀ ବର୍ଷା କମିବା ସହ ଗ୍ରୀଷ୍ମ ପ୍ରବାହ ବଢ଼ିଥାଏ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ ପ୍ରାୟ ୧୦ ପ୍ରତିଶତ କମ୍ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶା ଗସ୍ତ ସମୟରେ କହିଛନ୍ତି ଯେ, ଜୁନ୍ ମାସରୁ ହିଁ ଏହାର ପ୍ରଭାବ ଅନୁଭବ ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱାଭାବିକ କିମ୍ବା ସାମାନ୍ୟ ଅଧିକ ବର୍ଷା ହୋଇପାରେ।ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ନଜରରେ ରଖି ସରକାର ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥାମାନଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଏଲ୍‌ ନିନୋର ପ୍ରଭାବ ଆଗାମୀ ଦିନରେ କେତେ ଗଭୀର ହେବ, ତାହା ଉପରେ ବିଶେଷଜ୍ଞମାନଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *