ନ୍ୟୁଜ ଡେକ୍ସ : ରାଜଧାନୀ ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତୁଘଲକାବାଦ ଏକ୍ସଟେନସନର ଷ୍ଟ୍ରିଟ୍ ନମ୍ବର ୧ରେ ଥିବା ଏକ କୋଠାରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଆଠ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏମ୍ସ ଟ୍ରମା କେନ୍ଦ୍ରକୁ ପଠାଯାଇଛି।
ଉଦ୍ଧାର କାର୍ଯ୍ୟ ସମୟରେ ତିନୋଟି ମୃତଦେହ ମଧ୍ୟ ମିଳିଛି। ମୃତକଙ୍କ ପରିଚୟ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।ଅଗ୍ନିଶମ କର୍ମଚାରୀମାନେ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ନିଆଁ କିପରି ଲାଗିଲା ଏବଂ ଏହା ପଛରେ କାରଣ କଣ ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି।ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଅଗ୍ନିଶମ ବାହିନୀ ଏବେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ କାର୍ଯ୍ୟ ଜାରି ରଖିଛି।
ଏହା ପୂର୍ବରୁ ମଧ୍ୟ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଗତ ୩ ତାରିଖରେ ଘଟିଥିବା ସେହି ଅଗ୍ନିକାଣ୍ଡରେ ୨୧ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଥିଲା।ଲଗାତାର ଘଟୁଥିବା ଅଗ୍ନିକାଣ୍ଡ ଘଟଣା ପରେ ରାଜଧାନୀରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ଘଟଣାର ଗଭୀର ତଦନ୍ତ କରାଯାଉଛି।

