Sat. Jun 13th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଡିଜିଟାଲ ସୃଷ୍ଟିକର୍ତ୍ତା ଏବଂ ସାମାଜିକ ଗଣମାଧ୍ୟମର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଡିଜିଟାଲ ସୃଷ୍ଟିକର୍ତ୍ତାମାନେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ଦୂତ ଏବଂ ଭବିଷ୍ୟତର ଜନମତ ନିର୍ମାତା।ମୁଖ୍ୟମନ୍ତ୍ରୀ କହିଥିଲେ, ଜଣେ ବ୍ୟକ୍ତି ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ରାଷ୍ଟ୍ର ସର୍ବୋପରି ହେବା ଉଚିତ।

ସରକାରଙ୍କ ନୀତି ଓ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇପାରେ, କିନ୍ତୁ ସେହି ଆଳରେ ଦେଶକୁ ଅସମ୍ମାନ କରିବା କେବେ ମଧ୍ୟ ଗ୍ରହଣୀୟ ନୁହେଁ।ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ଯୋଗୁଁ ଯୁବପିଢ଼ି ବିବାଦରେ ଜଡ଼ି ନିଜ ଭବିଷ୍ୟତକୁ କ୍ଷତିଗ୍ରସ୍ତ ନ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସୃଜନଶୀଳ ବିଷୟବସ୍ତୁ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଡିଜିଟାଲ ସୃଷ୍ଟିକର୍ତ୍ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ, କେବଳ ଦର୍ଶକ ସଂଖ୍ୟା ବଢ଼ାଇବା କିମ୍ବା କ୍ଷଣିକ ମନୋରଞ୍ଜନ ଦେବା ଉଦ୍ଦେଶ୍ୟରେ ବିଷୟବସ୍ତୁ ପ୍ରସ୍ତୁତ ନ କରି ସମାଜ ପାଇଁ ସୁସ୍ଥ ଓ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବା ଉଚିତ। ଗଣମାଧ୍ୟମର ସଠିକ ବ୍ୟବହାର ଓ ସଂଯମତା ରକ୍ଷା ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ଓଡ଼ିଶା ଜଗନ୍ନାଥ ସଂସ୍କୃତିର ପବିତ୍ର ଭୂମି ଏବଂ ଏଠାରେ ବିଶ୍ୱ ଏକ ପରିବାରର ବାର୍ତ୍ତା ଦିଆଯାଏ।

ମୁଖ୍ୟମନ୍ତ୍ରୀ ସତର୍କ କରି କହିଥିଲେ ଯେ, କେବଳ ଲୋକପ୍ରିୟତା ପାଇଁ ବିପଦଜନକ କାର୍ଯ୍ୟ, କ୍ଷତିକାରକ ଆହ୍ୱାନ କିମ୍ବା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉଚିତ ନୁହେଁ। ଗୁଜବ ଓ ମିଥ୍ୟା ଖବର ବିରୋଧରେ ସମସ୍ତଙ୍କୁ ସଚେତନ ଓ ସଜାଗ ରହିବାକୁ ସେ ଆହ୍ୱାନ ଦେଇଥିଲେ।ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସ୍ୱାସ୍ଥ୍ୟ ବିଶେଷଜ୍ଞ, କଳା ଓ ସାହିତ୍ୟ କ୍ଷେତ୍ରର କୃତୀ ବ୍ୟକ୍ତିଙ୍କ ସମେତ ବହୁ ସାମାଜିକ ଗଣମାଧ୍ୟମ ସୃଷ୍ଟିକର୍ତ୍ତା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *