Wed. Jun 17th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁର ନୂଆ ସରକାର ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ସରକାରର ଅର୍ଥମନ୍ତ୍ରୀ ଏନ୍‌. ମେରୀ ୱିଲସନ କହିଛନ୍ତି ଯେ ରାଜ୍ୟ ବର୍ତ୍ତମାନ ଗଭୀର ଋଣ ଚାପର ସମ୍ମୁଖୀନ ହେଉଛି।ଶ୍ୱେତପତ୍ର ଅନୁଯାୟୀ, ରାଜ୍ୟରେ ଜନ୍ମ ନେଉଥିବା ପ୍ରତ୍ୟେକ ଶିଶୁ ଉପରେ ହାରାହାରି ୧ ଲକ୍ଷ ୨୮ ହଜାର ଟଙ୍କାର ଋଣ ବୋଝ ରହିଛି। ଏହି ତଥ୍ୟ ପ୍ରକାଶ ପାଇବା ପରେ ପୂର୍ବତନ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ପାଞ୍ଚ ବର୍ଷ ପୂର୍ବରୁ ରାଜ୍ୟର ମୋଟ ଋଣ ପ୍ରାୟ ୪ ଲକ୍ଷ ୮୦ ହଜାର କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଭିନ୍ନ ପ୍ରକାରର ସରକାରୀ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାୟିତ୍ୱକୁ ଯୋଡ଼ିଲେ ରାଜ୍ୟ ଉପରେ ମୋଟ ଆର୍ଥିକ ବୋଝ ୧୩ ଲକ୍ଷ ୧୮ ହଜାର କୋଟି ଟଙ୍କାରୁ ଅଧିକ ହେଉଛି। ଅର୍ଥମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଯେତେ ପରିମାଣର ଋଣ ନିଆଯାଇଛି, ତାହା ପୂର୍ବବର୍ତ୍ତୀ ଅନେକ ଦଶକର ମୋଟ ଋଣ ଠାରୁ ଅଧିକ। ଚିନ୍ତାର ବିଷୟ ହେଉଛି ଏହି ଋଣର ବଡ଼ ଅଂଶ ନୂତନ ରାସ୍ତା, ହସ୍ପିଟାଲ, ବିଦ୍ୟାଳୟ କିମ୍ବା ଅନ୍ୟ ବିକାଶମୂଳକ ପ୍ରକଳ୍ପ ପାଇଁ ବ୍ୟୟ ନହୋଇ ଦୈନନ୍ଦିନ ପ୍ରଶାସନିକ ଖର୍ଚ୍ଚ ପୂରଣରେ ବ୍ୟବହୃତ ହୋଇଥିଲା।ଶ୍ୱେତପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ ସରକାର ଯେଉଁ ପ୍ରତ୍ୟେକ ୧ ଟଙ୍କା ଆୟ କରୁଛନ୍ତି, ସେଥିରୁ ୨୨ ପଇସାରୁ ଅଧିକ କେବଳ ପୁରୁଣା ଋଣର ସୁଧ ପରିଶୋଧ କରିବାରେ ଖର୍ଚ୍ଚ ହେଉଛି।

ଏହା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି।ଅନ୍ୟପଟେ, ରାଜ୍ୟର ଆର୍ଥିକ ନିଅଣ୍ଟ ୪୬ ହଜାର ୫୩୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୭୮ ହଜାର ୩୨୪ କୋଟି ଟଙ୍କାରେ ପହଞ୍ଚିଛି। ଏହା ଦର୍ଶାଉଛି ଯେ ଖର୍ଚ୍ଚ ବୃଦ୍ଧିର ଗତି ଆୟ ବୃଦ୍ଧିଠାରୁ ଅଧିକ। ଟିକସ ଆଦାୟରେ କେବଳ ୫.୪୫ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ରାଜ୍ୟର ବ୍ୟୟ ଦ୍ରୁତ ଗତିରେ ବଢ଼ି ଚାଲିଛି।ନୂଆ ସରକାର କହିଛନ୍ତି ଯେ ଆର୍ଥିକ ଶୃଙ୍ଖଳା ଫେରାଇ ଆଣିବା, ଋଣ ନିର୍ଭରତା କମାଇବା ଏବଂ ବିକାଶମୂଳକ କ୍ଷେତ୍ରରେ ଅଧିକ ନିବେଶ କରିବା ପାଇଁ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *