ନ୍ୟୁଜ ଡେକ୍ସ : ଦେଶରେ ଶୀଘ୍ର ଶତପ୍ରତିଶତ ଇଥାନଲ ଇନ୍ଧନରେ ଚାଲୁଥିବା ଯାନ ଚଳାଚଳ ଆରମ୍ଭ ହେବ। ଏହି ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇ ଶତପ୍ରତିଶତ ଇଥାନଲ ଇନ୍ଧନକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରେ ଏହି ସୂଚନା ଦେଇ କହିଛନ୍ତି ଯେ, ସମ୍ପର୍କିତ ନିୟମାବଳୀକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସେ ଫାଇଲରେ ସ୍ୱାକ୍ଷର କରିଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଉଛି ଅଶୋଧିତ ତେଲ ଆମଦାନି ଉପରେ ନିର୍ଭରତା କମାଇବା ଏବଂ ପରିବହନ କ୍ଷେତ୍ରରେ ପ୍ରଦୂଷଣ ହ୍ରାସ କରିବା।
ମନ୍ତ୍ରୀ କହିଛନ୍ତି ଯେ, ଦେଶର ଯାନ ନିର୍ମାଣ କ୍ଷେତ୍ର ଏହି ପରିବର୍ତ୍ତନକୁ ସ୍ୱାଗତ କରିଛି। ଅନେକ ପ୍ରମୁଖ କମ୍ପାନୀ ଶତପ୍ରତିଶତ ଇଥାନଲ ଇନ୍ଧନରେ ଚାଲୁଥିବା ନୂଆ ଯାନ ବଜାରକୁ ଆଣିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ନୂଆ ମଡେଲ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।ଇଥାନଲକୁ ପେଟ୍ରୋଲ ତୁଳନାରେ ଅଧିକ ସୁଲଭ ଓ ପରିବେଶ ଅନୁକୂଳ ବିକଳ୍ପ ଭାବେ ଦେଖାଯାଉଛି। ଦେଶର ଇନ୍ଧନ ଚାହିଦାର ବଡ଼ ଅଂଶ ବର୍ତ୍ତମାନ ଆମଦାନି ମାଧ୍ୟମରେ ପୂରଣ ହେଉଥିବାରୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି। ଶତପ୍ରତିଶତ ଇଥାନଲ ଇନ୍ଧନ ବ୍ୟବହାର ବୃଦ୍ଧି ପାଇଲେ ଆମଦାନି ବିଲ୍ କମିବା ସହ ସାଧାରଣ ଲୋକଙ୍କୁ ମହଙ୍ଗା ପେଟ୍ରୋଲର ଚାପରୁ ମଧ୍ୟ ଆଶ୍ୱସ୍ତି ମିଳିବ।ଦେଶ ଧୀରେ ଧୀରେ ବହୁମୁଖୀ ଇନ୍ଧନ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। ଶତପ୍ରତିଶତ ଇଥାନଲ ଆଧାରିତ କାର ଓ ଦୁଇଚକିଆ ଯାନର ନୂଆ ମଡେଲ ମଧ୍ୟ ଖୁବ ଶୀଘ୍ର ବଜାରକୁ ଆସିବ। ଏହି ଯାନଗୁଡ଼ିକରେ ପେଟ୍ରୋଲ କିମ୍ବା ଡିଜେଲର ଆବଶ୍ୟକତା ରହିବ ନାହିଁ। ଇଥାନଲ ଏକ ଜୈବ ଇନ୍ଧନ, ଯାହା ଆଖୁ, ମକା ଏବଂ ଅନ୍ୟାନ୍ୟ କୃଷିଜାତ ଉତ୍ପାଦରୁ ପ୍ରସ୍ତୁତ ହୋଇଥାଏ।
ଭାରତରେ ଉତ୍ପାଦିତ ଇଥାନଲ ମୁଖ୍ୟତଃ ଆଖୁ ଉପରେ ନିର୍ଭରଶୀଳ। ବର୍ତ୍ତମାନ ଏହାକୁ ବିଭିନ୍ନ ଅନୁପାତରେ ପେଟ୍ରୋଲ ସହ ମିଶ୍ରଣ କରି ବ୍ୟବହାର କରାଯାଉଛି।ପରିବହନ କ୍ଷେତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନିକଟରେ ୮୫ ପ୍ରତିଶତ ଇଥାନଲ ଓ ୧୫ ପ୍ରତିଶତ ପେଟ୍ରୋଲ ମିଶ୍ରିତ ଇନ୍ଧନ ମଧ୍ୟ ବଜାରକୁ ଆସିଛି, ଯାହା ସାଧାରଣ ପେଟ୍ରୋଲ ତୁଳନାରେ ଅଧିକ ସୁଲଭ। ତେବେ ଏହି ପ୍ରକାର ଇନ୍ଧନ ବ୍ୟବହାର ପାଇଁ ବିଶେଷ ପ୍ରକାରର ଯାନ ଆବଶ୍ୟକ ହୋଇଥାଏ।ଶତପ୍ରତିଶତ ଇଥାନଲ ଇନ୍ଧନକୁ ମଞ୍ଜୁରି ମିଳିବା ଦ୍ୱାରା ଦେଶର ଅକ୍ଷୟ ଶକ୍ତି ଓ ଜୈବ ଇନ୍ଧନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂଚନା ମିଳିଛି। ଏହା କୃଷକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ସହ ପରିବେଶ ସୁରକ୍ଷା ଓ ଶକ୍ତି ସ୍ୱାବଳମ୍ବନ ଦିଗରେ ଭାରତକୁ ଆହୁରି ଆଗକୁ ନେବ।

