Tue. Jun 23rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏହା ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶାକୁ ଆବୃତ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ଆଗାମୀ ପାଞ୍ଚ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ବର୍ତ୍ତମାନ ମୌସୁମୀ ବାୟୁ, ଟ୍ରଫ୍‌ ରେଖା ଓ କାଳବୈଶାଖୀର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଛି।

ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ସେହିପରି ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼କୁ ଛାଡ଼ି ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ମଧ୍ୟ ବଜ୍ରପାତ ଓ ଝଟକା ପବନ ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଏହି ଅଞ୍ଚଳଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ମଧ୍ୟ ବଜ୍ରପାତ ଓ ଝଟକା ପବନ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି।ପାଣିପାଗ ବିଭାଗ ଅନୁସାରେ ୨୬ ଜୁନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ। ଏହାସହ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।ବର୍ଷାର ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Leave a Reply

Your email address will not be published. Required fields are marked *