Tue. Jun 23rd, 2026

ନ୍ୟୁଜ ଡେକ୍ସ : ପ୍ରକୃତିପ୍ରେମୀ ଓ ବନ୍ୟଜନ୍ତୁ ଦର୍ଶନ ପାଇଁ ଶିମିଳିପାଳ ଯିବାକୁ ଯୋଜନା କରୁଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା। ଆସନ୍ତା ୨୯ ତାରିଖରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ବନ୍ଦ ରହିବ। ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ ବିଭାଗ ଏହି ନିଷ୍ପତ୍ତି ନେଇଛି।ଏନେଇ ସୋମବାର ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମୌସୁମୀ ବର୍ଷା ସମୟରେ ଜଙ୍ଗଲ ଭିତରର ରାସ୍ତା ପିଚ୍ଛଳ ହୋଇଯାଉଥିବା ବେଳେ ନାଳ ଓ ଝରଣାଗୁଡ଼ିକରେ ଜଳସ୍ତର ବଢ଼ିଯାଏ।

ଏହା ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ଶିମିଳିପାଳର ମୂଳ ଅଞ୍ଚଳକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ବନ ବିଭାଗ କହିଛି ଯେ, ବର୍ଷା ଋତୁରେ ଜଙ୍ଗଲର ସୂକ୍ଷ୍ମ ପରିବେଶ ବ୍ୟବସ୍ଥା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ମଧ୍ୟ ଏହି ପଦକ୍ଷେପ ବେଶ ସହାୟକ ହେବ। ଏହାଦ୍ୱାରା ବନ୍ୟପ୍ରାଣୀମାନେ ନିର୍ବିଘ୍ନରେ ବିଚରଣ କରିପାରିବେ ଏବଂ ଜଙ୍ଗଲର ପ୍ରାକୃତିକ ସନ୍ତୁଳନ ଅକ୍ଷୁଣ୍ଣ ରହିବ। ତେବେ ପର୍ଯ୍ୟଟକଙ୍କ ପାଇଁ ଆଶ୍ୱସ୍ତିର ଖବର ହେଉଛି, ଶିମିଳିପାଳ ଅଞ୍ଚଳର ଜାମୁଆଣୀ ଓ ତାଳବନ୍ଧ ପ୍ରକୃତି ପର୍ଯ୍ୟଟନ ପରିସର ପୂର୍ବଭଳି ଖୋଲା ରହିବ।

ଏଠାରେ ଆଗନ୍ତୁକମାନେ ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।ବନ ବିଭାଗ ସୂଚନା ଦେଇଛି ଯେ, ବର୍ଷା ଋତୁ ଶେଷ ହେବା ପରେ ଶିମିଳିପାଳ କେବେ ପୁନଃ ଖୋଲିବ ସେନେଇ ପରବର୍ତ୍ତୀ ସମୟରେ ସରକାରୀ ଘୋଷଣା କରାଯିବ। ପ୍ରତିବର୍ଷ ବର୍ଷା ଋତୁରେ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହା ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲର ପ୍ରାକୃତିକ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।

Leave a Reply

Your email address will not be published. Required fields are marked *