ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଥିବା ବେଳେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ତିନିଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି। କଂଗ୍ରେସ ପକ୍ଷରୁ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଏବଂ ଦାଶରଥୀ ଗମାଙ୍ଗଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା।
ତେବେ ବାଚସ୍ପତି ଏହି ଆବେଦନକୁ ଖାରଜ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ସମାନ ପ୍ରକାର ଅଭିଯୋଗକୁ ନେଇ ବିଜେଡ଼ି ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନକୁ ମଧ୍ୟ ବାଚସ୍ପତି ଖାରଜ କରିସାରିଥିଲେ। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ ଉଲ୍ଲଂଘନ କରିଥିବା ଅଭିଯୋଗରେ ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ସମେତ ଆଠଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଜେଡ଼ି ଦାବି କରିଥିଲା।
ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଏହି ବିଧାୟକମାନେ ଦଳୀୟ ନିର୍ଦ୍ଦେଶକୁ ଅବମାନନା କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ମତଦାନ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଉଭୟ ଦଳ ପକ୍ଷରୁ ସମ୍ପୃକ୍ତ ବିଧାୟକମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପରେ କ୍ରସ୍ ଭୋଟିଂ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।

