Sat. Jun 13th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ଚୟନକୁ ନେଇ ଚାଲିଥିବା ବିବାଦରେ ମମତା ବାନାର୍ଜୀଙ୍କୁ ଉଚ୍ଚ ଅଦାଲତରୁ ନିରାଶ ହେବାକୁ ପଡ଼ିଛି। କଲିକତା ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି।ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ତୃଣମୂଳ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଅଦାଲତ ତୁରନ୍ତ କୌଣସି ରହିତାଦେଶ ଦେଇନାହାନ୍ତି। ଫଳରେ ରିତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱରେ ରହିବେ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ତୃଣମୂଳ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି। ଦଳର ମୁଖ୍ୟ ମମତା ବାନାର୍ଜୀ ସୋବନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା କରିବାକୁ ଚାହୁଁଥିଲେ।କିନ୍ତୁ କିଛି ବିଧାୟକ ମମତାଙ୍କ ନିର୍ଦ୍ଦେଶରୁ ଭିନ୍ନ ମତ ରଖି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରିଥିଲେ। ପରେ ବିଧାୟକମାନେ ଏନେଇ ବାଚସ୍ପତି ଇଥିନ୍ଦ୍ରନାଥ ବୋଷଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ। ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କରି ରିତବ୍ରତଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୃଣମୂଳ କଂଗ୍ରେସ ଆପତ୍ତି ଉଠାଇଥିଲା।

ଦଳ ପକ୍ଷରୁ କୁହାଯାଇଥିଲା ଯେ ବାଚସ୍ପତି ନିଜ ଇଚ୍ଛାରେ ବିରୋଧୀ ଦଳ ନେତା ଚୟନ କରିପାରିବେ ନାହିଁ।ଏହି ମାମଲାରେ ଆଜି ହୋଇଥିବା ଶୁଣାଣିରେ ହାଇକୋର୍ଟ ତୃଣମୂଳ କଂଗ୍ରେସର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ତେବେ ମାମଲାର ଶେଷ ନିଷ୍ପତ୍ତି ଆସିନଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ।ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ରିତବ୍ରତ ବାନାର୍ଜୀଙ୍କ ବିରୋଧୀ ଦଳ ନେତା ପଦବୀ ଏବେ ଜାରି ରହିବା ସ୍ପଷ୍ଟ ହୋଇଛି। ଏହି ଘଟଣା ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *