ନ୍ୟୁଜ ଡେକ୍ସ : ବିଜୁ ଜନତା ଦଳରୁ ଦେବାଶିଷ ସାମନ୍ତରାୟ ଦଳ ଛାଡ଼ି ବିଜେପିରେ ଯୋଗଦେବା ପରେ କଟକରେ ଦଳୀୟ ଅସନ୍ତୋଷ ଓ ଇସ୍ତଫା ଝଡ଼ ତୀବ୍ର ହୋଇଛି। ଗୋଟିଏ ଦିନରେ ଆଉ ୩ ଜଣ ନେତା ବିଜେଡି ଛାଡ଼ିବା ଘଟଣା ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ପୂର୍ବତନ ମେୟର ଓ ବରିଷ୍ଠ ନେତା ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ଓ ସଂଗଠକ ରଞ୍ଜନ ବିଶ୍ୱାଳ ଏବଂ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରିଛନ୍ତି।
ସେ ମେୟରଙ୍କ ବିରୋଧରେ ମଧ୍ୟ କଡ଼ା ଆକ୍ରୋଶ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମେୟର ସୁବାସ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏଭଳି ଇସ୍ତଫାରେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ବିଜେଡି ଆହୁରି ସୁଦୃଢ଼ ହେବା ପାଇଁ କାମ କରୁଛି।କଟକର ଏହି ରାଜନୈତିକ ଉନ୍ମାଦନା ମଧ୍ୟରେ ବିଜେଡି ଭିତରେ ଅସନ୍ତୋଷ ଓ ପୁନର୍ଗଠନ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

