Tue. Jun 23rd, 2026

ନ୍ୟୁଜ ଡେକ୍ସ : ଖୋର୍ଦ୍ଧା ଜିଲ୍ଲାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ବୋଲଗଡ଼ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଘଟିଥିବା ଏହି ଅଘଟଣରେ ଏକାସଙ୍ଗେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି। ମୃତକମାନେ ହେଲେ ଦିଘିରି ଗାଁର ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ।

ସୂଚନା ଅନୁଯାୟୀ, ଦୁଇ ଭାଇ ଏକ ଦ୍ୱିଚକ୍ରଯାନରେ ଘରକୁ ଫେରୁଥିବା ବେଳେ ଦିଘିରି ନିକଟରେ ସେମାନଙ୍କ ଗାଡ଼ି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଭାରୀଯାନକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହାସହ ପୋଲିସ ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଏହି ଅକାଳ ବିୟୋଗ ପରେ ପ୍ରଧାନ ପରିବାର ଉପରେ ଯେପରି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଏକାସଙ୍ଗେ ଦୁଇ ପୁଅଙ୍କୁ ହରାଇ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ଏହି ହୃଦୟବିଦାରକ ଘଟଣା ସମସ୍ତଙ୍କ ଆଖିକୁ ଲୁହରେ ଭିଜାଇ ଦେଇଛି।

Leave a Reply

Your email address will not be published. Required fields are marked *