Sat. Jun 27th, 2026

ନ୍ୟୁଜ ଡେକ୍ସ : ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାରମ୍ପରିକ ଗୁଆଲି ନୀତି ଭକ୍ତି ଓ ଆଡ଼ମ୍ବରର ସହ ପାଳିତ ହୋଇଛି। ରୁକ୍ମିଣୀ ବିବାହ ପରଦିନ ଆୟୋଜିତ ଏହି ନୀତିରେ ପାଲିଙ୍କିରେ ଶ୍ରୀମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରି ପ୍ରଥମେ ଶ୍ରୀନହର ଏବଂ ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ବିଜେ କରିଥିଲେ।ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ଭିତରେ ଆଳଟ ଲାଗି, ମହାସ୍ନାନ ଏବଂ ନୂଆ ବସ୍ତ୍ର ଲାଗି ନୀତି ସମ୍ପନ୍ନ କରାଯାଇଥିଲା।

ଘଟୁଆରୀ ଚନ୍ଦନ ଘରରୁ ରୂପା ପିଙ୍ଗଣରେ ଚନ୍ଦନ ଆଣି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ସମ୍ପନ୍ନ କରିଥିଲେ।ଏହାପରେ ବେଶ ବଢ଼ି ମଧ୍ୟାହ୍ନ ଧୂପ ନୀତି କରାଯାଇଥିଲା। ବର ଓ କନ୍ୟା ରୂପେ ଶ୍ରୀମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ ବନ୍ଦାପନା ନୀତି ସମ୍ପନ୍ନ କରିଥିଲେ।

ପରେ ଆଜ୍ଞାମାଳ ପ୍ରଦାନ କରାଯିବା ପରେ ମହାଜନ ସେବକମାନେ ଉଭୟଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ।ଶ୍ରୀନହରରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ନବବିବାହିତ ଦେବଦମ୍ପତିଙ୍କୁ ସ୍ୱାଗତ କରି ବନ୍ଦାପନା କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ, କେନ୍ଦ୍ରାଞ୍ଚଳ ପୁଲିସ ମହାନିରୀକ୍ଷକ ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପୁଲିସ ଅଧୀକ୍ଷକ ପ୍ରତୀକ ସିଂହଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *