ନ୍ୟୁଜ ଡେକ୍ସ : ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ଓ ଜନୈତିକ ବିବିଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଉ ଦୁଇଟି ବାଘୁଣୀ ଓ ଗୋଟିଏ ମହାବଳ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି। ତେବେ ସେମାନଙ୍କୁ ଅଭୟାରଣ୍ୟର କେଉଁ ଅଞ୍ଚଳରେ ଛାଡ଼ାଯିବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।ବର୍ତ୍ତମାନ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହେଉଛି।
ଏପରି ପରିସ୍ଥିତିରେ ଜଙ୍ଗଲ ଭିତରେ ମହାବଳ ଚିହ୍ନଟ ଓ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବ ନୁହେଁ। ସେଥିପାଇଁ ବର୍ଷା ଋତୁ ଶେଷ ହେବା ପରେ ଏହି କାର୍ଯ୍ୟ ଆରମ୍ଭ ହେବ।ସୂଚନା ଅନୁସାରେ, ମହାରାଷ୍ଟ୍ରର ଏକ ଜଙ୍ଗଲରୁ ମହାବଳ ଅଣାଯିବ ଏବଂ ଏହାକୁ ନେଇ ସେଠାକାର ରାଜ୍ୟ ସରକାରଙ୍କ ସହ ଆଲୋଚନା ପ୍ରକ୍ରିୟା ଶେଷ ହୋଇଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ବାଘ ସ୍ଥାନାନ୍ତର ପୂର୍ବରୁ ସମସ୍ତ ଔପଚାରିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପୂର୍ବରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ପୁନରାବୃତ୍ତି ଏଡ଼ାଇବାକୁ ଏଥର ସମସ୍ତ ଦିଗକୁ ଗୁରୁତ୍ୱ ଦିଆଯାଉଛି।
ବିଶେଷକରି ବାସସ୍ଥାନ ଚୟନ ଓ ବାଘ ଚୟନକୁ ପ୍ରାଥମିକତା ଦିଆଯାଇଛି। ‘ଜୀନତ୍’ ମାମଲାରେ ବାସସ୍ଥାନ ସହ ଖାପଖୁଆଇବାରେ ଯେଉଁ ସମସ୍ୟା ଦେଖାଦେଇଥିଲା, ସେପରି ପରିସ୍ଥିତି ଯେପରି ପୁଣି ନଘଟେ ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।ଏହାଛଡ଼ା ଶିମିଳିପାଳ ସହ ଡେବ୍ରିଗଡ଼ ଅଭୟାରଣ୍ୟକୁ ମଧ୍ୟ ଭବିଷ୍ୟତରେ ମହାବଳ ସ୍ଥାନାନ୍ତର କରିବାକୁ ବନ ବିଭାଗ ଯୋଜନା କରିଥିବା ସୂଚନା ମିଳିଛି।

