ନ୍ୟୁଜ ଡେକ୍ସ : ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସର ଘରେ ମହାଜ୍ୱରରେ ବିଶ୍ରାମ ନେଉଥିବା ବେଳେ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ସମସ୍ତ ଗୁପ୍ତନୀତି ଜାରି ରହିଛି। ଅଣସରର ଚତୁର୍ଥ ଦିନରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି କରିବା ସହ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ କରିଛନ୍ତି।
ଆସନ୍ତାକାଲି ଫୁଲୁରି ତେଲ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ପରଦିନଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି ଆରମ୍ଭ ହେବ। ଅଣସର ଘର ଅନ୍ଧକାର ଥିବାରୁ ଦଇତାପତି ସେବକମାନେ ପ୍ରଦୀପ ଜାଳି ନିଷ୍ଠାର ସହ ମହାପ୍ରଭୁଙ୍କ ସେବା କରୁଛନ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପୂଜାନୀତି ଚାଲିଛି।ଅନ୍ୟପଟେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ପୋଟଳ କାର୍ଯ୍ୟ ସହ ଅନ୍ୟାନ୍ୟ ଅନ୍ତିମ ପର୍ଯ୍ୟାୟର କାମ ଦ୍ରୁତ ଗତିରେ ଚାଲିଛି, ଯାହାଫଳରେ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।
ସେପଟେ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ଅନବସର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଅନବସର ଦର୍ଶନର ତୃତୀୟ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ପ୍ରାୟ ୨ କୁଇଣ୍ଟାଲ ଫୁଲରେ ପ୍ରଭୁ ଅଲାରନାଥଙ୍କୁ ସୁସଜ୍ଜିତ କରାଯାଇଛି।ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଖୋଲାଯିବା ପରେ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ସକାଳ ୬ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଦିନସାରା ଭକ୍ତଙ୍କ ଭିଡ଼ ଜାରି ରହିଛି।

