Thu. Jul 2nd, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ସମେତ ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଏହି ଯୋଜନା ଅନୁସାରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେଜିରୁ ପିଜି ପର୍ଯ୍ୟନ୍ତ ପଢୁଥିବା ନିୟମିତ ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯିବ।

ଯୋଜନାଟି ୨୦୨୬-୨୭ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ।ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିୟମିତ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀମାନେ ଏହାର ସିଧାସଳଖ ଲାଭ ପାଇବେ। କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବରୁ ମାଗଣା ଶିକ୍ଷା ବ୍ୟବସ୍ଥା ଥିବାରୁ ଏହି ଯୋଜନା ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବଡ଼ ସହାୟତା ଦେବ।ତେବେ ଏହି ସୁବିଧା ସେଲ୍ଫ-ଫାଇନାନ୍ସିଙ୍ଗ୍ କୋର୍ସ, ବେସରକାରୀ କଲେଜ, ପିପିପି ମୋଡ୍‌ର ଶିକ୍ଷାନୁଷ୍ଠାନ ଏବଂ ପ୍ରଫେସନାଲ୍ କିମ୍ବା ବୈଷୟିକ ପାଠ୍ୟକ୍ରମ ପାଇଁ ଲାଗୁ ହେବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆର୍ଥିକ ଅଭାବ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମ ବର୍ଷ ୮୯୫.୫୭ କୋଟି ଟଙ୍କା ଏବଂ ଆଗାମୀ ପାଞ୍ଚ ବର୍ଷରେ ମୋଟ ୫,୪୬୭.୫୫ କୋଟି ଟଙ୍କା ବ୍ୟୟ ପାଇଁ କ୍ୟାବିନେଟ୍ ଅନୁମୋଦନ ଦେଇଛି।ଏହି ଯୋଜନା ଦ୍ୱାରା ପ୍ରତିବର୍ଷ ରାଜ୍ୟର ପ୍ରାୟ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ସରକାରଙ୍କ ମତରେ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ କେବଳ ଫି’ ଛାଡ଼ ଯୋଜନା ନୁହେଁ, ବରଂ ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ।

Leave a Reply

Your email address will not be published. Required fields are marked *