ନ୍ୟୁଜ ଡେକ୍ସ : ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଓଡ଼ିଶା ପୁଲିସ ସବ୍-ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଆୟୋଜନ କରାଯିବ ବୋଲି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ୍ ସିଲେକ୍ସନ କମିଶନ (ଓୟୁଏସଏସଏସସି) ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି।ସେ କହିଛନ୍ତି, ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସମସ୍ତ ଆଶାୟୀ ପୁଣିଥରେ ପରୀକ୍ଷା ଦେଇପାରିବେ।
ଏପରିକି ଏହି ସମୟ ମଧ୍ୟରେ ବୟସ ସୀମା ଅତିକ୍ରମ କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ପରୀକ୍ଷାର ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଅନ୍ୟପକ୍ଷରେ, ଏସଆଇ ପରୀକ୍ଷା ଶୀଘ୍ର ଆୟୋଜନ ଦାବିରେ ବୁଧବାର ଶହଶହ ଆଶାୟୀ ଭୁବନେଶ୍ୱରସ୍ଥିତ ଓୟୁଏସଏସଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ୍ର ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ପରୀକ୍ଷା ତାରିଖ ଘୋଷଣା କରିବାକୁ ଦାବି କରାଯାଇଥିଲା।
ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ ଯେ, କମିଶନ ଗଠନ ହେବାର ତିନି ମାସ ପରେ ମଧ୍ୟ ୱେବସାଇଟ୍ ପ୍ରସ୍ତୁତ ହୋଇନାହିଁ ଏବଂ ଦୀର୍ଘ ଦୁଇ ବର୍ଷ ଧରି ପ୍ରସ୍ତୁତି କରୁଥିବା ଆଶାୟୀମାନଙ୍କୁ ପରୀକ୍ଷା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳୁନାହିଁ। ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ କଳା ରିବନ୍ କାଟି ପ୍ରତୀକାତ୍ମକ ଭାବେ କାର୍ଯ୍ୟାଳୟର ଉଦ୍ଘାଟନ କରାଯାଇଥିଲା।ପରେ ଓୟୁଏସଏସଏସସି ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ଧାରଣାସ୍ଥଳରେ ପହଞ୍ଚି ଆଶାୟୀମାନଙ୍କ ସହ ଆଲୋଚନା କରିଥିଲେ। ଅକ୍ଟୋବର ସୁଦ୍ଧା ପରୀକ୍ଷା ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

