ନ୍ୟୁଜ ଡେକ୍ସ : ରାଜ୍ୟରେ କିଶୋର-କିଶୋରୀଙ୍କ ପୁଷ୍ଟିସାଧନ ଏବଂ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରାଥମିକ ସ୍ତର ପରି ମାଧ୍ୟମିକ ସ୍ତରରେ ପଢ଼ୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାଗଣାରେ ଗରମ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ର ସମ୍ପ୍ରସାରଣକୁ ବିଧିବଦ୍ଧ ମଞ୍ଜୁରି ମିଳିଛି।
ସରକାରୀ ସୂଚନା ଅନୁଯାୟୀ, ଆସନ୍ତା ୪ ବର୍ଷ ପାଇଁ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ୩,୫୦୬.୯୯ କୋଟି ଟଙ୍କାର ପାଣ୍ଠିକୁ କ୍ୟାବିନେଟ୍ ଅନୁମୋଦନ କରିଛି।ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୪୬.୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଏହାଦ୍ୱାରା ଶିକ୍ଷା ସହ ପୁଷ୍ଟିକର ଖାଦ୍ୟ ଯୋଗାଣକୁ ମଧ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି।ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ର ଶୁଭାରମ୍ଭ କରିଥିଲେ।
୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ସର୍ବମୋଟ ୪,୨୨୪.୪୬ କୋଟି ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖାଯାଇଛି। କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ୮,୯୬୨ଟି ବିଦ୍ୟାଳୟର ୧୧,୨୩,୫୩୬ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥିଲା। ଏଥିପାଇଁ ବ୍ୟୟ ହୋଇଥିବା ୬୬୫.୩୬ କୋଟି ଟଙ୍କାକୁ ମଧ୍ୟ କ୍ୟାବିନେଟ୍ ପିଛିଲା ଭାବେ ଅନୁମୋଦନ କରିଛି।

