ନ୍ୟୁଜ ଡେକ୍ସ : ଲଗାଣ ବର୍ଷା ଯୋଗୁଁ କାଲିମେଳା ଅଞ୍ଚଳରେ ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି। ଗତ ତିନି ଦିନ ଧରି ଝିପିଝିପି ବର୍ଷା ଲାଗି ରହିଥିବା ବେଳେ କାଲିମେଳା ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସୀତାପାଲୀ ଘାଟିରେ ଏହି ଭୂସ୍ଖଳନ ଘଟିଛି।
ପ୍ରବଳ ବର୍ଷା ପ୍ରଭାବରେ ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ, ପଥର ଓ ମାଟି ଧସି ରାସ୍ତା ଉପରେ ପଡ଼ି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହାଫଳରେ ମାନ୍ୟମକୋଣ୍ଡାରୁ ପାହାଡ଼ ଉପରେ ଥିବା ସୀତାପାଲୀ ଗ୍ରାମକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ମାନ୍ୟମକୋଣ୍ଡାରୁ ସୀତାପାଲୀ ଗ୍ରାମ ଦେଇ ପାହାଡ଼ ଉପରେ ଥିବା ଗୁଣ୍ଠାବେଡା ଗ୍ରାମ ପର୍ଯ୍ୟନ୍ତ ଏହି ରାସ୍ତା ଗତ ବର୍ଷ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା।
ବର୍ତ୍ତମାନ ରାସ୍ତା ଅବରୋଧ ହୋଇଥିବାରୁ ସ୍ଥାନୀୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

