ନ୍ୟୁଜ ଡେକ୍ସ : ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ବଡ଼ ଧରଣର କ୍ଷତି ସହିଥିବା ସୂଚନା ମିଳିଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ର ଆକଳନ ଅନୁସାରେ, ଏପ୍ରିଲ-ଜୁନ ତ୍ରୟମାସରେ ଡିଜେଲ ବିକ୍ରିରେ ଲିଟର ପିଛା ୧୮ ଟଙ୍କା ୯୦ ପଇସା ଏବଂ ପେଟ୍ରୋଲରେ ଲିଟର ପିଛା ୬ ଟଙ୍କା କ୍ଷତି ହୋଇଛି।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବୃଦ୍ଧି ପାଇଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ସେହି ଅନୁପାତରେ ବଢ଼ାଯାଇନଥିବାରୁ କମ୍ପାନିଗୁଡ଼ିକୁ ବଜାର ମୂଲ୍ୟଠାରୁ କମ୍ ଦରରେ ଇନ୍ଧନ ବିକ୍ରି କରିବାକୁ ପଡ଼ିଛି।
ଫଳରେ ସେମାନଙ୍କ ଉପରେ ଆର୍ଥିକ ଚାପ ବଢ଼ିଛି।ବର୍ଷକ ପୂର୍ବେ ଏହି ସମୟରେ କମ୍ପାନିଗୁଡ଼ିକ ଡିଜେଲରେ ଲିଟର ପିଛା ୮ ଟଙ୍କା ୨୦ ପଇସା ଏବଂ ପେଟ୍ରୋଲରେ ୧୦ ଟଙ୍କା ୩୦ ପଇସା ଲାଭ କରିଥିଲେ। ସେହିପରି ୨୦୨୪ରେ ଡିଜେଲରେ ୨ ଟଙ୍କା ୫୦ ପଇସା ଓ ପେଟ୍ରୋଲରେ ୪ ଟଙ୍କା ୪୦ ପଇସା ଲାଭ ହୋଇଥିଲା। କିନ୍ତୁ ଚଳିତବର୍ଷ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସତ୍ତ୍ୱେ ଦେଶରେ ଇନ୍ଧନ ମୂଲ୍ୟ ସେହି ହାରରେ ବୃଦ୍ଧି ନହେବାରୁ କମ୍ପାନିଗୁଡ଼ିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ନିକଟରେ କହିଥିଲେ ଯେ, ଏପ୍ରିଲ-ଜୁନ ତ୍ରୟମାସରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି ଏବଂ ବିମାନ ଇନ୍ଧନକୁ ବଜାର ମୂଲ୍ୟଠାରୁ କମ୍ ଦରରେ ବିକ୍ରି କରିବା ଫଳରେ ତୈଳ ବିପଣନ କମ୍ପାନିଗୁଡ଼ିକ ପ୍ରାୟ ୭୫ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି।
ବିଶେଷଜ୍ଞଙ୍କ ମତରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ଉତ୍ଥାନ-ପତନ ଉପରେ ତୈଳ କମ୍ପାନିଗୁଡ଼ିକର ଲାଭ ଓ କ୍ଷତି ନିର୍ଭର କରିଥାଏ। ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବଢ଼ିବା ସହ ଦୈନିକ ଇନ୍ଧନ ମୂଲ୍ୟ ସଂଶୋଧନ ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇଥିଲା। ବର୍ତ୍ତମାନ ଆନ୍ତର୍ଜାତୀୟ ଦର ବୃଦ୍ଧି ଓ ଦେଶୀୟ ବଜାରରେ ସୀମିତ ମୂଲ୍ୟ ବୃଦ୍ଧି କାରଣରୁ ତୈଳ କମ୍ପାନିଗୁଡ଼ିକ ଆର୍ଥିକ ଚାପରେ ରହିଛନ୍ତି।

