Sun. Jul 5th, 2026

ନ୍ୟୁଜ ଡେକ୍ସ : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପରିସ୍ଥିତିର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବିଏମ୍ସି ମୁଖ୍ୟାଳୟର ପ୍ରଥମ ମହଲାରେ ଖୋଲାଯାଇଥିବା ଏହି ନିୟନ୍ତ୍ରଣ କକ୍ଷ କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ରାଜ୍ୟର ସହରାଞ୍ଚଳ ଉପରେ ମଧ୍ୟ ନଜର ରଖିବ। ଜନସାଧାରଣ ଟୋଲ୍ ଫ୍ରି ନମ୍ବର ୧୯୨୯ରେ ଯୋଗାଯୋଗ କରି ସିଧାସଳଖ ଅଭିଯୋଗ ଜଣାଇପାରିବେ।ବର୍ଷାଜନିତ ପରିସ୍ଥିତିର ସମୀକ୍ଷା ପାଇଁ ବିଦ୍ୟୁତ, ଅଗ୍ନିଶମ, ପୁଲିସ, ପୂର୍ତ୍ତ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି।

ଜଳବନ୍ଦି ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ସତର୍କ ନଜର ରଖି ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଇସ୍କନ ଭଳି ପ୍ରମୁଖ ଜଳବନ୍ଦି ଅଞ୍ଚଳରେ ସିସିଟିଭି ମାଧ୍ୟମରେ ନିରନ୍ତର ନଜରଦାରି କରାଯାଉଛି।ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁଙ୍କ ସୂଚନା ଅନୁସାରେ, ନିୟନ୍ତ୍ରଣ କକ୍ଷ ପରିଚାଳନା ପାଇଁ ପ୍ରତ୍ୟେକ ସିଫ୍ଟରେ ୬୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୧୭ଟି ଜଳବନ୍ଦି ଅଞ୍ଚଳରେ ମୋଟର ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଥିବା ବେଳେ ୨୩ଟି ସ୍ଥାନରେ ପମ୍ପସେଟ୍ ପ୍ରସ୍ତୁତ ରଖାଯାଇଛି। ଏହାସହ ୮ଟି ରାପିଡ୍ ଆକ୍ସନ ଟିମ୍ ଓ ପ୍ରତ୍ୟେକ ଜୋନ୍‌ରେ ଦୁଇଟି ଲେଖାଏଁ ଟିମ୍ ନିୟୋଜିତ ହୋଇଛି।ଡ୍ରେନେଜ୍ ବିଭାଗର ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଜରୁରୀକାଳୀନ ସ୍ଥିତି ପାଇଁ ଅତିରିକ୍ତ ରାପିଡ୍ ଆକ୍ସନ ଟିମ୍ ମୁଖ୍ୟାଳୟରେ ପ୍ରସ୍ତୁତ ରହିଛି।

ନାଳ ସଫେଇ, ଆବର୍ଜନା ଅପସାରଣ ଏବଂ ଜଳ ନିଷ୍କାସନ ସୁଚାରୁ କରିବାକୁ ପରିମଳ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।ବର୍ଷା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଡେଙ୍ଗୁ, ମ୍ୟାଲେରିଆ ଓ ଜଳବାହିତ ରୋଗ ଉପରେ ସତର୍କ ନଜର ରଖିବାକୁ ଅର୍ବାନ ମେଟ୍ରୋପଲିଟାନ ସର୍ଭେଲାନ୍ସ ୟୁନିଟ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଡେଙ୍ଗୁ ଲାର୍ଭା ନଷ୍ଟ ଏବଂ ଫଗିଂ କାର୍ଯ୍ୟ ପାଇଁ ୭୦ ଜଣ କର୍ମଚାରୀ ଓ ୨୫ଟି ଫଗିଂ ମେସିନ୍ ନିୟୋଜିତ ହୋଇଛି। ଏହାସହ ପାଣି ଓ ଖାଦ୍ୟର ନମୁନା ସଂଗ୍ରହ କରାଯାଉଥିବା ବେଳେ ଗଛ ପଡ଼ିଲେ ତୁରନ୍ତ ହଟାଇବା ପାଇଁ ସ୍ୱତନ୍ତ୍ର ଦଳ, କଟର ଏବଂ ୬ଟି ହାଇଡ୍ରୋଲିକ୍ ସିଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି।

Leave a Reply

Your email address will not be published. Required fields are marked *