ନ୍ୟୁଜ ଡେକ୍ସ: ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା ଏବଂ ଏହାର ପ୍ରଭାବ ପରିବାର ଉପରେ ମଧ୍ୟ ପଡିଥାଏ। କିନ୍ତୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ଭାରତୀୟ ରେଳବାଇ ପ୍ରଭାବିତ ହୋଇଛି। କେବଳ ଏତିକି ନୁହେଁ ସ୍ୱାମୀଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡିଛି। ତେବେ ସୂଚନ ମୁତାବକ, ଭିଲାଇରେ ରହୁଥିବା ଯୁବତୀଜଣକ ୨୦୧୧ ମସିହାରେ ସମ୍ପୃକ୍ତ ଷ୍ଟେଶନ ମାଷ୍ଟରଙ୍କୁ ବିବାହ କରିଥିଲେ।
ମାତ୍ର ଏହି ବିବାହରେ ମହିଳାଜଣକ ଖୁସି ନ ଥିବା ବେଳେ ତାଙ୍କର ପୂର୍ବରୁ ନିଜ କଲେଜର ଲାଇବ୍ରେରିଆନଙ୍କ ସହ ପ୍ରେମ ସମ୍ପର୍କ ଥିବା କହିଥିଲେ। ଏହାକୁ ନେଇ ସବୁବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏପରିକି ମହିଳାଜଣକ ଡ୍ୟୁଟିରେ ଥିବା ସ୍ୱାମୀଙ୍କୁ ଫୋନ୍ କରି ସବୁବେଳେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ରେଲୱେକୁ ବି ୩ କୋଟି ଟଙ୍କାର କ୍ଷତି ହୋଇଛି। ସ୍ୱାମୀ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଡ୍ୟୁଟିରେ ଅଛନ୍ତି ଏବଂ ସେ ଘରକୁ ଆସିବା ପରେ କଥା ହେବେ। ଏଥିସହ ପତ୍ନୀଙ୍କୁ ‘ଓକେ’ କହି ସେ ଫୋନ୍ ରଖିଥିଲେ।
ମାତ୍ର ଷ୍ଟେଶନ ମାଷ୍ଟରଙ୍କ ‘ଓକେ’ ଶୁଣି ଅନ୍ୟ ଜଣେ ଷ୍ଟେଶନ ମାଷ୍ଟର ଏକ ଟ୍ରେନ୍କୁ ଗ୍ରୀନ୍ ସିଗନାଲ ଦେଇଦେଲେ। କିନ୍ତୁ ଯେଉଁ ରାସ୍ତାରେ ଗାଡିଟି ଯାଇଥିଲା ତାହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରତିବନ୍ଧକ ଲାଗିଥିବା ମାର୍ଗରେ ଟ୍ରେନ୍ ଯିବା ଯୋଗୁଁ ରେଳବାଇକୁ ପ୍ରାୟ ୩ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା। ଯାହା ପରେ ରେଳବାଇ ଷ୍ଟେସନ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବନ କରାଯାଇଥିଲା।