ନ୍ୟୁଜ ଡେକ୍ସ: ପୂର୍ଣ୍ଣ ସେବା ପ୍ରଦାନକାରୀ ଏୟାରଲାଇନ ଭିସ୍ତାରା ସୋମବାର ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ।
ସୂଚନା ମୁତାବକ, ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ ଏଥିରେ ୨୫.୧ ପ୍ରତିଶତ ଅଂଶୀଦାର ରହିବ। ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ। ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ତେବେ ଭିସ୍ତାରର ଅନୁଭୂତି ପରିବର୍ତ୍ତନ ହେବ ନାହିଁ ବୋଲି ଗ୍ରୁପ୍ ନିଶ୍ଚିତ କରିଛି। ବିଲୟ ସହିତ ଭିସ୍ତାରା ଏୟାରଲାଇନର ଫ୍ଲାଇଟ୍ କୋଡ ଆରମ୍ଭରେ ‘୨’ ଯୋଡ଼ି ହୋଇଯିବ। ଉଦାହରଣ ସ୍ୱରୂପ, ଭିସ୍ତାରାର ବର୍ତ୍ତମାନର ଫ୍ଲାଇଟ୍ କୋଡ୍ ୟୁକେ ୯୫୫ ବିମାନ ଏବେ ଏଆଇ ୨୯୫୫ ହୋଇଯିବ।