ନ୍ୟୁଜ ଡେକ୍ସ: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଦ୍ୱିତୀୟ ଥର ଫେରୁଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱରେ ଗଠବନ୍ଧନ ବିଧାନସଭାର ୮୧ଟି ସିଟ୍ ମଧ୍ୟରୁ ୫୭ରେ ଆଗରେ ଚାଲିଛି। ଶନିବାର ଦ୍ୱିପ୍ରହରରେ ବିଜୟ ସୁନିଶ୍ଚିତ ହେବା ପରେ ଏକ ଖବରକାଗଜକୁ ହେମନ୍ତ ସୋରେନ ଏହି ବିଜୟ ଶ୍ରେୟ ନିଜର ପତ୍ନୀ କଳ୍ପନା ସୋରେନ ଓ ତାଙ୍କର ଟିମ୍କୁ ଦେଇଛନ୍ତି।
ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ। ଏଥର ଗଣ୍ଡେୟ ଆସନରୁ ଜିତିଛନ୍ତି କଳ୍ପନା। ରାଜନୀତିରେ ପ୍ରବେଶ ପୂର୍ବରୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କଳ୍ପନା। ମୟୂରଭଞ୍ଜ ଜିଲ୍ଲା ବାରିପଦା ଝିଅ କଳ୍ପନା ଏବେ ବେଶ ଚର୍ଚ୍ଚାରେ। ସେ ୧୯୭୬ ମସିହାରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଅମ୍ପା ମୁର୍ମୁ ଜଣେ ଅବସରପ୍ରାପ୍ତ ସେନାଧିକାରୀ ଥିବା ବେଳେ ତାଙ୍କର ମା’ ଥିଲେ ଗୃହିଣୀ। କଳ୍ପନା ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ନିଜର ସ୍କୁଲ ପଢା ଶେଷ କରିଥିଲେ। ପରେ ସେ ବୁବନେଶ୍ଵରର ଏକ କଲେଜରୁ ବିଟେକ ଡିଗ୍ରୀ ହାସଲ କରିଛନ୍ତି। ବ୍ୟବସାୟରେ ତାଙ୍କର ରୁଚି ଥିବାରୁ, ସେ ମାଷ୍ଟର ଡିଗ୍ରୀ ମଧ୍ୟ ଶେଷ କରିଛନ୍ତି।ହେମନ୍ତ ସୋରେନ କହିଛନ୍ତି , ଆମେ ନିଜର ହୋମୱାର୍କ କରି ନେଇଥିଲୁ ଏବଂ ନିଜର ଲକ୍ଷ୍ୟକୁ ସ୍ଥିର କରି ସାରିଥିଲୁ। ଆମେ ଜାଣିଥିଲୁ କି ଏହା ବହୁତ କଠିନ ମୁକାବିଲା ହେବାକୁ ଯାଉଛି।
ଏଥିପାଇଁ ଆମେ ନିଜର ଟିମ୍ ସହ ଗ୍ରାଉଣ୍ଡରେ କାମ କରିବାକୁ ବାହାରି ପଡ଼ିଥିଲୁ। ଏହା ଏକ ସୁନ୍ଦର ଟିମ୍ ୱାର୍କ ଥିଲା। ଆମେ ସେହି ମେସେଜ୍ ଦେଲୁ ଯାହା ଆମେ ଦେବାକୁ ଚାହୁଁ ଥିଲୁ।ହେମନ୍ତ ସୋରେନ କହିଛନ୍ତି, ଆପଣ ମାନେ ଦେଖିଲେ କି ଲୋକସଭା ନିର୍ବାଚନରେ ଆମେ କେମିତି ପ୍ରଦର୍ଶନ କଲୁ ( ଜେଏମଏମ-କଂଗ୍ରେସ ଗଠବନ୍ଧନ ୧୪ଟି ମଧ୍ୟରୁ ୫ଟି ସିଟ୍ ଜିତି ଥିଲେ) । ଯଦି ମୁଁ ଜେଲ୍ ବାହାରେ ଥାନ୍ତି ତ ଆମେ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତେ। ସେହି ସମୟରେ ମୋ ପତ୍ନୀ କଳ୍ପନା ସୋରେନ ୱାନ-ମ୍ୟାନ ଆର୍ମି ଭାବେ କାମ କରୁଥିଲେ।