ନ୍ୟୁଜ ଡେକ୍ସ: ୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି।
ସେହି ସ୍ଥାନରେ କୌଣସି ଡ୍ରୋନ୍ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ । ସୂଚନାଯୋଗ୍ୟ ଯେ ୨୯, ୩୦ ଏବଂ ଡିସେମ୍ବର ୧ ରେ ଓଡିଶାରେ ଡିଜି ସମ୍ମିଳନୀ ଅନୁଷ୍ଠିତ ହେବ। ୩ ଦିନ ଧରି ହେବାକୁ ଥିବା ଡିଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଡିଜି ସମ୍ମିଳନୀ ଶେଷ ହେବା ଯାଏଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ । ୨୯ ତାରିଖ ଅପରାହ୍ନ ୪ଟା୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ।
ପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ। ଏହାପରେ ଏୟାରପୋର୍ଟ ରୁ ରାଜଭବନ ଯାଏଁ ରୋଡ଼ ଶୋ’ ହେବ। ଏହା ପରେ ପାର୍ଟି ଅଫିସ ପ୍ରଧାନମନ୍ତ୍ରୀ ଆସିବେ। ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ। ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ ଆଲୋଚନା କରିବେ। ପରେ ଡିଜି ସମ୍ମିଳନୀରେ ଯୋଗ ଦେବେ ।