ନ୍ୟୁଜ ଡେକ୍ସ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ଗତ ରାତିରେ ୯୨ ବର୍ଷ ବୟସ୍କ ଶ୍ରୀ ସିଂହଙ୍କ ପରଲୋକ ହୋଇଛି। ମନମୋହନ ସିଂହଙ୍କ ବିୟୋଗ ଘଟଣାକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ କେନ୍ଦ୍ର ସରକାର ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।
ଶ୍ରୀ ସିଂହଙ୍କ ପରଲୋକ ଯୋଗୁ କଂଗ୍ରେସ ମଧ୍ୟ ଆସନ୍ତା ୭ ଦିନ ପାଇଁ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ମନମୋହନ ସିଂହ ଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାରୁ ଚଳିତ ବର୍ଷ ଦଳର ପ୍ରତିଷ୍ଠା ଦିବସ ବି ପାଳନ କରାଯିବନି ବୋଲି ସୂଚନା ଜାରି କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ଦଳର ପତାକା ଅର୍ଦ୍ଧନତ ଅବସ୍ଥାରେ ରହିବ ।ଏହା ସହିତ ସମସ୍ତ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ। ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ। ଶୁକ୍ରବାର ପୂର୍ବାହ୍ନ ୧୧ ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।ଦେଶର ଦୁର୍ବଳ ଅର୍ଥନୀତିରେ ସୁଧାର ଆଣିଥିବା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ଗୁରୁବାର ରାତିରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୯. ୫୧ ମିନିଟ୍ ସମୟରେ ତାଙ୍କୁ ମୃତ ଘୋଷିତ କରାଯାଇଛି।
ଦେଶର ୧୪ଶ ପ୍ରଧାନମନ୍ତ୍ରୀ ଭାବରେ ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଦେଶର ନେତୃତ୍ବ ନେଇଥିଲେ। ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ତାଙ୍କ ପରିବାରରେ ପତ୍ନୀ ଗୁରଚରଣ ସିଂହ ଓ ୩ ଝିଅ ଅଛନ୍ତି। ତାଙ୍କର ହସ୍ପିଟାଲରେ ଭର୍ତ୍ତି ଖବର ଶୁଣି ପ୍ରଥମେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ସୋନିଆ ଗାନ୍ଧି ହସପିଟାଲରେ ପହଞ୍ଚିଥିଲେ। ୧୦ ବର୍ଷ ଧରି ଦେଶର ନେତୃତ୍ବ ନେଇଥିବା ମନମୋହନଙ୍କୁ ଆର୍ଥିକ ବିଦ୍ବାନ ଭାବରେ ଜଣାଯାଏ।
