Thu. Oct 23rd, 2025

ନ୍ୟୁଜ ଡେକ୍ସ: କୋର୍ଟରେ ସରକାରୀ ଚାକିରି। କିରାଣିଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର୍‌, ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରି ଭଳି ବଡ଼ ବଡ଼ ପଦବିରେ ଚାକିରି ମାତ୍ର ୨ ଲକ୍ଷ ଟଙ୍କାରେ ଦେଉଥିଲେ। ଏଭଳି ଏକ ଠକ ଦମ୍ପତିଙ୍କୁ ଶନିବାର ଗିରଫ କରିଛି ରାଉରକେଲା ଉଦିତନଗର ପୁଲିସ। ସୂଚନା ଅନୁସାରେ, ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ସରକାରୀ ଚାକିରି ନାଁ ରେ ଅନେକଙ୍କୁ ଫସଉଥିଲେ।

ଗୋଟିଏ ମାସରେ ଥରେ ସେମାନେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ। ଆଉ କୋର୍ଟ ଚାରି ପାର୍ଶ୍ୱରେ ଘୁରି ବୁଲି ବେକାର ଯୁବତୀ ଓ ଯୁବକଙ୍କୁ ତାଙ୍କ ଜାଲରେ ଫସାଉଥିଲେ। ସେମାନେ ବେକାର ଯୁବକ ଯୁବତୀ ମାନଙ୍କୁ ରାଉରକେଲା କୋର୍ଟରେ କିରାଣୀ ଷ୍ଟେନୋ ଆଦି ଚାକିରି କରାଇଦେବା ପ୍ରଲୋଭନରେ ଠକୁଥିଲେ।ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ବେଶଭୁଷା ସହ ସରକାରୀ ଲୋଗୋ ଥିବା ଆଇକାର୍ଡ ଦେଖି ଆଶାୟୀମାନେ ସହଜରେ ବିଶ୍ୱାସ କରି ନେଉଥିଲେ। ଏପରିକି ସେହି ଠକ ଦମ୍ପତି ଚାକିରି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ଟଙ୍କା ପାଇବା ପରେ ନିଯୁକ୍ତିପତ୍ର ଓ ଆଇକାର୍ଡ ମଧ୍ୟ ଦେଉଥିଲେ। ପରବର୍ତ୍ତୀ ସମୟରେ ଆଶାୟୀମାନେ ପାଇଥିବା ନିଯୁକ୍ତପତ୍ର ଓ ଆଇକାର୍ଡ ନକଲି ବୋଲି ଜାଣିବା ପରେ ଉଦିତ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ଥାନାରେ ୩ଟି ଅଭିଯୋଗ ଦାଖଲ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ୍‌ ତଦନ୍ତ କରିବ ସହ ଠକ ଦମ୍ପତିଙ୍କୁ କାବୁ କରିଥିଲା। ସୂଚନାଯୋଗ୍ୟ, ଲକ୍ଷ୍ମୀ ତନ୍ତୀଙ୍କ ନାମରେ ପୂର୍ବରୁ ମଧ୍ୟ ଏହିଭଳି ଠକାମି ମାମଲା ରହିଛି। ସେ ୨୦୨୩ ମସିହା ମାର୍ଚ୍ଚ ମାସରେ ଜଣେ ମହିଳାଙ୍କଠାରୁ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏ ନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ତେବେ ଜାମିନରେ ଆସିବା ପରେ ସେ ଆଉ ତାଙ୍କ ସ୍ବାମୀ ମିଶି ଆଉ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।

Leave a Reply

Your email address will not be published. Required fields are marked *