Thu. Oct 23rd, 2025

ନ୍ୟୁଜ ଡେକ୍ସ: ସଂସଦରେ ଆଜିଠୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ସେହିପରି ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ।

ଏଥିରେ ପୂର୍ବ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ମୂଲ୍ୟାଙ୍କନ ଦେଖିବାକୁ ମିଳିବ। ତେବେ ବଜେଟ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆପଣମାନେ ନିଶ୍ଚୟ ଲକ୍ଷ୍ୟ କରିଥିବେ, ହୁଏତ ୨୦୧୪ ପରଠାରୁ, ଏହା ପ୍ରଥମ ସଂସଦ ଅଧିବେଶନ । ଯେଉଁ ଅଧିବେଶନର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ କୌଣସି ‘ବିଦେଶୀ ହସ୍ତକ୍ଷେପ’ (ବିଦେଶୀ ହସ୍ତକ୍ଷେପ) ଦେଖାଯାଇନଥିଲା । ଯେଉଁଥିରେ କୌଣସି ବିଦେଶୀ ଶକ୍ତିର ହସ୍ତକ୍ଷେପ ନାହିଁ । କେହି ନିଆଁ ଜାଳିବାକୁ ଚେଷ୍ଟା କରିନାହାଁନ୍ତି । ମୁଁ ପ୍ରତ୍ୟେକ ବଜେଟ ଅଧିବେଶନ ପୂର୍ବରୁ ଏହା ଦେଖିଛି । ଆମ ଦେଶର ଅନେକ ଲୋକ ଏହି ନିଆଁରେ ଘିଅ ଢାଳିବାକୁ କୌଣସି କସରତ ଛାଡ଼ନ୍ତି ନାହିଁ । ମୋଦି କହିଛନ୍ତି ଦେଶକୁ ସଶକ୍ତ କରିବାକୁ ନୂଆ ଆଇନ ପ୍ରଣୟନ ହେବ । ଦେଶକୁ ନୂଆ ଶକ୍ତି ଯୋଗାଇବ ଏ ବଜେଟ୍। ବଜେଟ୍ ସେସନରେ ଏକାଧିକ ଐତିହାସିକ ବିଲ୍ ଆସିବ।

୧୪୦ କୋଟି ଦେଶବାସା ସାମୂହିକ ପ୍ରୟାସରେ ଏହି ସଂକଳ୍ପକୁ ପୂରଣ କରିବେ । ମିଶନ ମୋଡରେ ଦେଶର ସର୍ବାଙ୍ଗିନ ବିକାଶ ମୋଡରେ ନେବା। ବଜେଟ୍ ସେସନରେ ଏକାଧିକ ଐତିହାସିକ ବିଲ ଉପରେ ଗୃହରେ ଚର୍ଚ୍ଚା ହେବ। ଏଥର ବଜେଟ ନୂଆ ବିଶ୍ବାସ ସୃଷ୍ଟି କରିବ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରକାଶ ଥାଉ କି, ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଆସନ୍ତାକାଲି (ଶନିବାର) ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ।

Leave a Reply

Your email address will not be published. Required fields are marked *