ନ୍ୟୁଜ ଡେକ୍ସ: ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ। ତଦନ୍ତର ସ୍ଥିତି ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ଦେଇଛନ୍ତି ନିର୍ଦ୍ଦେଶ। ଫେବୃଆରୀ ୧୯ ସୁଦ୍ଧା ଷ୍ଟାଟର୍ସ ରିପୋର୍ଟ ଦାଖଲ ପାଇଁ କହିଛନ୍ତି ଅଦାଲତ। ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ପି.ପି. ମହାନ୍ତି ଯାଚିକା ଦାୟର କରିଛନ୍ତି।
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏ ସଂପର୍କିତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ଝାରସୁଗୁଡ଼ାରେ ଏକ ରାଲି ଚାଲିଥିବା ସମୟରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ଗୁଳିମାଡ଼ ହୋଇଥିଲା । ପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା ।
