ନ୍ୟୁଜ ଡେକ୍ସ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଭୂକଂପ ଝଟକା । ଦିଲ୍ଲୀ ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଛି। ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଭୂକମ୍ପର ତିବ୍ରତା ଏତେ ଅଧିକ ଥିଲା ଯେ, ଦିଲ୍ଲୀ ଏନସିଆର୍ରେ ଥିବା ଅନେକ ଘରର କବାଟ, ଝରକା ସମସ୍ତ ଘରର ଆସବାପତ୍ର ଦୋହଲିବାରେ ଲାଗିଥିଲା ।
ଧୋଲାକୁଆଁ ନିକଟରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଆଜି ସକାଳ ୫ଟା ୩୫ରେ ଭୂମିକମ୍ପ ହୋଇଥିଲା। ଦିଲ୍ଲୀ ସମେତ ଉତ୍ତରପ୍ରଦଦେଶ, ବିହାର ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଲାଗିଥିଲା। ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ଲୋକ। ରିପୋର୍ଟ ଅନୁସାରେ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଉତ୍ତରପ୍ରଦେଶର କିଛି ସହର ଯେପରିକି ମୁରାଦାବାଦ, ସହାରନପୁର, ମଥୁରା ଓ ଆଗ୍ରାରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଥିବା ସେଠାକାର ବାସିନ୍ଦା କହିଛନ୍ତି । ସେହିଭଳି ହରିୟାଣାର କୁରୁକ୍ଷେତ୍ର, ହିସାର ଓ କେଥଲରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା ।
ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ପରେ ଦିଲ୍ଲୀ ପୋଲିସ ତୁରନ୍ତ ପଦକ୍ଷେପ ନେଇ ହେଲ୍ପଲାଇନ ନମ୍ୱର ଜାରି କରିଛି । ଜରୁରୀକାଳୀନ ସ୍ଥିତି ପାଇଁ ଲୋକଙ୍କୁ ୧୧୨ ନମ୍ୱରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି । ଲୋକେ ଭୟଭୀତ ନ ହୋଇ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେବା ସହ କୌଣସି ପ୍ରକାର ଗୁଜବ ପ୍ରଚାର ନ କରିବାକୁ ମଧ୍ୟ ଦିଲ୍ଲୀ ପୋଲିସ ପରାମର୍ଶ ଦେଇଛି ।
