ନ୍ୟୁଜ ଡେସ୍କ: ଦିନକୁ ଦିନ ବଢ଼ିଚାଲିଛି ତିରୁପତି ମନ୍ଦିରର ଲଡୁ ବିବାଦ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ଖରାପ ସାମଗ୍ରୀ ମିଶୁଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଅସନ୍ତୋଷ ଦେଖାଦେଇଛି।
ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ମନ୍ଦିରର ଶୁଦ୍ଧିକରଣ କରିବା ପାଇଁ ଆଜି ମହାଶାନ୍ତି ହୋମା ଆୟୋଜନ କରଯାଇଛି। ତିରୁପତି ବାଲାଜି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରିତ ହେଉଥିବା ସ୍ପଷ୍ଟ ହେବା ପରେ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ କରାଯାଉଛି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।
ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।