ନ୍ୟୁଜ ଡେକ୍ସ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାର ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ହରିବାବୁ କୁମ୍ଭମ୍ପତି ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଆଡଭୋକେଟ ଜେନେରାଲ, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା, ହାଇକୋର୍ଟର କର୍ମଚାରୀ ଏବଂ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ ତାରିଖରେ ଅବସର ଗ୍ରହଣ କରିଥିଲେ ।
ଏହାପରେ ଦୀର୍ଘ ଦିନ ଧରି ଏହି ପଦ ପୂରଣ ହୋଇପାରି ନଥିଲା। ଶେଷରେ ଗତ ମାର୍ଚ୍ଚ ୬ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ ମିଳିଥିଲା । ୧୯୬୪ ମସିହା ନଭେମ୍ବର ୧୬ ତାରିଖରେ ଜଷ୍ଟିସ୍ ଟଣ୍ଡନଙ୍କର ଜନ୍ମ । ୧୯୮୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେହିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଓକିଲ ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ।
ଦେୱାନି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେବେଠାରୁ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଅନେକ ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ହରିଶ୍ ଟଣ୍ଡନଙ୍କ ଓଡିଶା ହାଇକୋର୍ଟରେ ଯୋଗଦାନ ପରେ ବିଚାରପତିଙ୍କ ସଂଖ୍ୟା ୧୯ ରେ ପହଞ୍ଚିଛି।
