Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁ ପ୍ରତୀକ୍ଷିତ ୱାକଫ ସଂଶୋଧନ ବିଲ୍ ଆଜି ଲୋକସଭାରେ ହେବ ଆଗତ। ପ୍ରଶ୍ନକାଳ ପରେ ମଧ୍ୟାହ୍ନ ୧୨ଟାରେ ଏହାକୁ କରାଯିବ ଉପସ୍ଥାପନ । ବାଚସ୍ପତି ଓମ୍ ବିର୍ଲା ଏହା ଉପରେ ୮ ଘଣ୍ଟା ଚର୍ଚ୍ଚା ଲାଗି ସମୟ ଧାର୍ଯ୍ୟ କରିଛନ୍ତି । ୮ ଘଣ୍ଟା ଧରି ଆଲୋଚନା ହେବା ପରେ ଏହାକୁ ଗୃହୀତ କରାଯିବ । ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏହାର ସାଂସଦମାନଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି ।

ସେପଟେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ବୁଧବାର ଦିନ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଉପସ୍ଥାପନ ପରେ, ରିଜିଜୁଙ୍କ ବିଲ୍ ସମ୍ବନ୍ଧୀୟ ଭାଷଣ ସମୟରେ, ବିରୋଧୀ ଏହାକୁ ନେଇ ନେଇ ସଂସଦ ଭିତରେ ବଡ ହଙ୍ଗାମା କରିଥିଲେ । ଯାହାର କଡା ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଲ ନେଇ ଆଲୋଚନା ବେଳେ କଂଗ୍ରେସକୁ କଡା ନିଶାନା ସାଧିଛନ୍ତି ମନ୍ତ୍ରୀ । ବିରୋଧୀଙ୍କ ନାରାବାଜି ଏବଂ ବିରୋଧ ମଧ୍ୟରେ ରିଜିଜୁ କହିଛନ୍ତି, ଯଦି ଆମେ ବିଲ୍ ଆଗତ କରିନଥାନ୍ତୁ, ତେବେ ସଂସଦ ଭବନକୁ ମଧ୍ୟ ୱାକଫ୍ ସମ୍ପତ୍ତି ଭାବରେ ଦାବି କରାଯାଇଥାନ୍ତା । ୨୦୧୪ରେ ବିଜେପି କ୍ଷମତାକୁ ନ ଆସିଥିଲେ ପୂର୍ବ କଂଗ୍ରେସ ସରକାର ସଂସଦ ଏବଂ ବିମାନବନ୍ଦର ଜମି ୱାକଫକୁ ଦେଇଦେଇଥାନ୍ତେ । ୟୁପିଏ ସରକାର ସଂସଦ ଏବଂ ବିମାନବନ୍ଦର ଜମି ୱାକଫକୁ ଦେଇଥାନ୍ତେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାକଫ ଦ୍ୱାରା ସଂସଦ ଅଧିଗ୍ରହଣକୁ ବନ୍ଦ କରିଦେଇଥିଲେ । ତେଣୁ ପୂର୍ବ କଂଗ୍ରେସ ସରକାର ଦ୍ୱାରା ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ଅନ୍ୟ ଆଇନ ଉପରେ ପ୍ରଭାବ ପକାଇଥିବାରୁ ନୂତନ ସଂଶୋଧନ ଆବଶ୍ୟକ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରିଜିଜୁ ।

ଅନ୍ୟପଟେ ବର୍ତ୍ତମାନ ଲୋକସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୫୪୨ ରହିଥିଲା ବେଳେ ସେଥିରୁ ବିଲ୍ ଗୃହୀତ କରାଇବା ଲାଗି ୨୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏନ୍ଡିଏ ପାଖରେ ଏବେ ୨୯୩ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ବିଲ୍ ଗୃହୀତ କରାଇବାରେ କୌଣସି ଅସୁବିଧା ହେବ ନାହିଁ । ଏନ୍ଡିଏ ସାଂସଦଙ୍କ ମଧ୍ୟରୁ ବିଜେପିର ୨୪୦ ସାଂସଦ ରହିଥିଲା ବେଳେ ଟିଡିପିର ୧୬, ଜେଡିୟୁର ୧୨, ଶିବସେନା (ସିନ୍ଦେ ଗୋଷ୍ଠୀ)ର ୭, ଏଲ୍ଜେପିର ୫, ଆରଏଲ୍ଡିର ୨, ଜେଡିଏସ୍ର ୨, ଜନସେନା ପାର୍ଟିର ୨ ଏବଂ ଅନ୍ୟାନ୍ୟ ଛୋଟ ସହଯୋଗୀ ଦଳର ୭ ଜଣ ସଦସ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *