Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ଭାରତ ସରକାର ଦୃଢ ପଦକ୍ଷେପ ନେବାକୁ ଆରମ୍ଭ କରି ଦେଇଛନ୍ତି। ବୁଧବାର ପାକିସ୍ତାନ ବିରୋଧରେ ୫ଟି କଡ଼ା ନିଷ୍ପତ୍ତି ନେବା ପରେ , ଏବେ ଆଜି ଗୁରୁବାର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିବାକୁ ପହଞ୍ଚିଛନ୍ତି।

ଏପଟେ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ପହଲଗାମ ଆକ୍ରମଣ ବିଷୟରେ ଜର୍ମାନୀ, ଜାପାନ, ପୋଲାଣ୍ଡ, ବ୍ରିଟେନ ଏବଂ ରୁଷ ସମେତ ୨୦ରୁ ଅଧିକ ଦେଶର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଅବଗତ କରାଇଥିଲେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ, ଭାରତୀୟ ନାଗରିକମାନଙ୍କୁ ପାକିସ୍ତାନ ଯାତ୍ରା ନକରିବାକୁ କଡ଼ା ପରାମର୍ଶ ଦିଆଯାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ବର୍ତ୍ତମାନ ପାକିସ୍ତାନରେ ରହୁଥିବା ଭାରତୀୟମାନଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି – ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ ପରାମର୍ଶ ଦିଆଯାଇଛି। ସୂଚନା ମୁତାବିକ , ଏମଇଏର ବରିଷ୍ଠ ଅଧିକାରୀ ସେମାନଙ୍କୁ ହମଲା ପଛରେ ସମ୍ଭାବିତ ଆତଙ୍କୀ ସଙ୍ଗଠନ, ପାକିସ୍ତାନର ଭୂମିକା ଓ ସୁରକ୍ଷା ଏଜେନ୍ସି ଦ୍ୱାରା କରାଯାଇ ଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି।

ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ନିଜେ ସ୍ଥିତିର ସମୀକ୍ଷା କରିବେ ଏବଂ ବୈସରନର ହମଲାର ସ୍ଥାନକୁ ଯାତ୍ରା କରିବେ। ସେ ସେଠାରେ ସେନା କମାଣ୍ଡର ଓ ସ୍ଥାନୀୟ ଅଧିକାରୀଙ୍କ ସହ ସୁରକ୍ଷା ବନ୍ଦୋବସ୍ତ ନେଇ ସମୀକ୍ଷା କରିବେ ଓ ଆଗାମୀ ରଣନୀତି ସ୍ଥିର କରିବେ । ସେନାର ଏହି ପଦକ୍ଷେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇ ଦେଶରେ ଏକ ଦୃଢ ସଙ୍କେତ ଭାବେ ବିବେଚନା କରାଯାଉଛି।

Leave a Reply

Your email address will not be published. Required fields are marked *