ନ୍ୟୁଜ ଡେକ୍ସ: କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ଅପମାନଜନକ ମନ୍ତବ୍ୟ ନେଇ ଏମପି ହାଇକୋର୍ଟ ବଡ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ 4ଘଣ୍ଟା ମଧ୍ୟରେ FIR ରୁଜ୍ଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ସମ୍ପର୍କରେ କହିଥିଲେ ଯେ; ଯେଉଁମାନେ ଆମ ଝିଅମାନଙ୍କର ସିନ୍ଦୁର ପୋଛିଥିଲେ, ସେହି ବିକୃତ ଲୋକମାନଙ୍କ ପାଖକୁ ସେମାନଙ୍କ ଭଉଣୀଙ୍କୁ ପଠାଇ ସେମାନଙ୍କ ଅବସ୍ଥା ଖରାପ କରିଦେଲୁ ।
ଜଷ୍ଟିସ୍ ଅତୁଲ ଶ୍ରୀଧର ଏବଂ ଜଷ୍ଟିସ୍ ଅନୁରାଧା ଶୁକ୍ଳା ଖଣ୍ଡପୀଠ ସ୍ୱତଃସତ୍ତ୍ୱେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମୋହନ ସରକାର ମଧ୍ୟ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ବର୍ତ୍ତମାନ୍ ରାଜନୀତି ଜୋର୍ ଧରୁଛି।
କଂଗ୍ରେସ ସମେତ ସମସ୍ତ ଦଳ ମନ୍ତ୍ରୀ ବିଜୟ ଶାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ। ଏହି ସବୁ ବିବାଦ ପରେ ମନ୍ତ୍ରୀ ଶାହା ତାଙ୍କ ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ଏହି ପ୍ରସଙ୍ଗ ନ କମି ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି। ତେବେ ଏହି ପ୍ରସଙ୍ଗ କୁ ନେଇ ବିରୋଧୀ ଦଳ ପ୍ରତିବାଦ କରୁଥିବା ବେଳେ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
