ନ୍ୟୁଜ ଡେକ୍ସ: ବିବାଦ ଘେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ସୀତାରମଣଙ୍କ ନାମରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି ବେଙ୍ଗାଲୁରୁର ସ୍ବତନ୍ତ୍ର କୋର୍ଟ। ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଜନାଧିକାର ସଂଘର୍ଷ ପରିଷଦ (ଜେଏସପି) ସହ-ଅଧ୍ୟକ୍ଷ ଆଦର୍ଶ ଆୟାର ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ନିର୍ବାଚନ ବଣ୍ଡ ମାଧ୍ୟମରେ ଧମକଚମକ ଦିଆଯାଉଛି । ଏହି ଆବେଦନ ଶୁଣାଣି କରି ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟେସନକୁ ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । କିନ୍ତୁ ବିଭିନ୍ନ ରାଜନୀତିକ ଦଳ ଓ କର୍ପୋରେଟ ଡୋନର ବା ଚାନ୍ଦା ଦାତାଙ୍କ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ଅନୈତିକ ଡିଲ୍ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି କ୍ଷମତାରେ ଥିବା ଦଳଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ସଂସ୍ଥାମାନଙ୍କଠାରୁ ଚାନ୍ଦା ନିଇ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଥିଲା ।ସୁପ୍ରିମକୋର୍ଟ ଗତ ଫେବୃଆରୀ ୧୫ରେ ଏହାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାର ତଦନ୍ତ ଏସ୍ଆଇଟି ଦ୍ୱାରା କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଥିଲେ।ଆବେଦନକାରୀ ସାଧାରଣ ଆଇନ ବ୍ୟବସ୍ଥା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯଦି ସେମାନଙ୍କ ଅଭିଯୋଗର ତଦନ୍ତ ନ ହେବ କିମ୍ବା ରିପୋର୍ଟ ଦାଖଲ କରା ନ ଯିବ, ତା’ହେଲେ ଆବେଦନକାରୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଆସିପାରିବେ ବୋଲି କହିଥିଲେ।