ନ୍ୟୁଜ ଡେକ୍ସ: ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ଏବଂ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।ଭୁବନେଶ୍ୱର ଏବଂ କଟକ ସହର ପାଇଁ ମଧ୍ୟ ଅରେଞ୍ଜ ସତର୍କତା ଜାରି କରାଯାଇଛି।
ଆଇଏମଡିର ବିଜ୍ଞପ୍ତି ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଅନୁଗୁଳ, ବରଗଡ଼ ଏବଂ ସୁନ୍ଦରଗଡ଼କୁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ତେବେ ଅନ୍ୟପଟେ, ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ସମାନ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏହା ପ୍ରଭାବରେ ରାଜ୍ୟରେ ୪ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ । ଆସନ୍ତା ୨୪ଘଣ୍ଟାରେ କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ଏପଟେ ସୌରାଷ୍ଟ୍ର ଏବଂ କଚ୍ଛର ଦକ୍ଷିଣ ଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ଅଞ୍ଚଳରେ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ରହିବ।
