ନ୍ୟୁଜ ଡେକ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିବସୀୟ ଘାନା ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ଭାରତ ଓ ଘାନା ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ କାଳରେ ଘାନା ସଂସଦକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଘାନାରୁ ତ୍ରିନିଦାଦ ଓ ଟବେଗୋ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଘାନା ରାଷ୍ଟ୍ରପତି ଜନ ମହାମା, ତାଙ୍କ ପତ୍ନୀ ଓ ସଂସଦ ବାଚସ୍ପତିଙ୍କୁ ଭାରତୀୟ ପାରମ୍ପରିକ କଳାକୃତି ସମ୍ପର୍କିତ ଅନନ୍ୟ ଓ ସୁନ୍ଦର ଉପହାର ଦେଇଛନ୍ତି।
ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉପହାରର ଓଡ଼ିଶା ସହ ସମ୍ପର୍କ ରହିଛି।ଏହି ଉପହାରଟି ହେଉଛି କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ କଟକର ପ୍ରସିଦ୍ଧି ରହିଛି। ଏଠାକାର କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ କାମ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ଉପହାରଟି କୁଶଳୀ କାରୀଗରଙ୍କ ଦ୍ୱାରା ଅତ୍ୟନ୍ତ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି।
ଏଥିରେ ଅତି ପତଳା ରୁପା ତାରରେ ତିଆରି ହୋଇଥିବା ସୂକ୍ଷ୍ମ ଫୁଲ ଏବଂ ସୁନ୍ଦର ଡିଜାଇନ କରାଯାଇଛି। ପର୍ସଟି ଖୁବ୍ ହାଲୁକା ଓ ଦୀର୍ଘସ୍ଥାୟୀ ହେବା ସହିତ ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର। କଟକର ତାରକସୀ କାରିଗରୀକୁ ପାରମ୍ପରିକ ଭାବେ ଗହଣାରେ ଉପଯୋଗ କରାଯାଇଥାଏ। ବର୍ତ୍ତମାନ ଏହାକୁ ପର୍ସ ଭଳି ଆଧୁନିକ ଉପକରଣରେ ଉପଯୋଗ କରାଯାଉଛି ଯାହା ଐତିହ୍ୟ ଏବଂ ସମସାମୟିକ ଶୈଳୀର ମିଶ୍ରଣ ଅଟେ।
