Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ମହାବାହୁଙ୍କ ସୁନାବେଶ । ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମଣିମା । ଜଗତର ନାଥ, ଶ୍ରୀକ୍ଷେତ୍ରାଧିପତି ଶୃଙ୍ଗାର ପ୍ରିୟ ମହାପ୍ରଭୁଙ୍କ ଆଜି ଦୁର୍ଲ୍ଲଭ ସୁନାବେଶ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ ।

ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ। ମହାପ୍ରଭୁଙ୍କ ସୁନା ବେଶ ଦେଖିବା ପାଇଁ ରବିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗି ରହିଛି। ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସକାଳୁ ତିନି ରଥ ଉପରେ ଦୈନନ୍ଦିନ ନୀତି କରାଯାଇ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବା ପାଇଁ ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଛି। ରଥ ଉପରେ ଅନ୍ୟାନ୍ୟ ନୀତି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କୁ ସନ୍ଧ୍ୟା ୫ଟାରୁ ୬ଟା ଭିତରେ ସୁନାବେଶରେ ସଜ୍ଜିତ କରାଯାଇଛି।

ଭକ୍ତ ମାନେ ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରୁଛନ୍ତି। ସନ୍ଧ୍ୟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଆଜି ଜନସମୁଦ୍ର ପାଲଟିଛି ବାଡଦାଣ୍ଡ । ବାହୁଡା ପରେ ବିଶ୍ବନିୟନ୍ତଙ୍କ ସୁନାବେଶ ଦର୍ଶନ ପୁରୀକୁ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *