Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଜେପି ରାଜ୍ୟ ସଭାପତି କିଏ ହେବେ ତାକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଉପରେ ସୋମବାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ମନମୋହନ ସାମଲ ପୁଣି ଥରେ ବିଜେପି ରାଜ୍ୟ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ଭରିଛନ୍ତି ।

କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ଓଡ଼ିଶା ପର୍ଯ୍ୟବେକ୍ଷକ ଥିବା ସାଂସଦ ସଞ୍ଜୟ ଜୟସ୍ୱାଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଛନ୍ତି । ଦଳର ସଭାପତି ହେଉ ହେଉ ବଡ଼ ଘୋଷଣା କରିଛନ୍ତି ମନମୋହନ ସାମଲ। ଇସାରା ଇସାରାରେ ସଂଘବଦ୍ଧ ଭାବେ ଏକ ଲମ୍ବା ଇନିଂସ ଖେଳିବାକୁ ସେ କାର୍ଯ୍ୟକର୍ତ୍ତାକୁ ଆହ୍ବାନ ଦେଇଛନ୍ତି। ମନମୋହନ ସାମଲ ସମ୍ବୋଧିତ କରି କହିଛନ୍ତି, ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି। ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ କୋଟି ପୁଞ୍ଜି ଆସିଛି।ଆମ ସରକାର ପାଇଁ ଧାନ କ୍ବିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛୁ। ମା-ଭଉଣୀଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇ ପାରିଛି।

ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ ପାଇଁ ସେତିକି କଷ୍ଟ। ଆଗରୁ କହିଥିଲି ଏବେ ବି କହୁଛି, ଶୋଇବା ନାହିଁ, କାହାକୁ ଶୋଇବାକୁ ଦେବା ନାହିଁ। ଏ ସରକାର ରାଜ୍ୟରେ ୨୦୩୬ ମସିହା ବି ଦେଖିବ। ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ। ଦାୟିତ୍ବ ଛିଣ୍ଡି ଯାଇନି, ଦାୟିତ୍ବ ଆରମ୍ଭ ହୋଇଛି ଭାବି କାମ କରିବା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛି, ଦଳ ପଛରେ ଠିଆ ହୋଇ ରହିବି। ଅସମ୍ଭବ ବୋଲି କିଛି ଡିକ୍ସିନାରୀରେ ନାହିଁ, ସବୁ କିଛି ସମ୍ଭବ। ବିଜେପି ସାଂଗଠନିକ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲର ସମୟ ସୋମବାର ଅପରାହ୍ଣ ୩.୩୦ ଥିଲା ।

ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ ପରେ ଅନ୍ତିମ ସୂଚୀ ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୮ ତାରିଖ ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ତେବେ ମନମୋହନ ସାମଲ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ମତଦାନର ଆବଶ୍ୟକତା ପଡ଼ିବ ନାହିଁ । ଫଳରେ ମନମୋହନଙ୍କ ହାତରେ ହିଁ ରାଜ୍ୟ ବିଜେପିର ନେତୃତ୍ୱ ରହିବ ।

Leave a Reply

Your email address will not be published. Required fields are marked *