ନ୍ୟୁଜ ଡେକ୍ସ : ନୂଆପଡାରେ ଯେପରି ‘ଚର୍ଚ୍ଚାର ଚକ୍ର’ ଘୁରୁଥିଲା, ତାହା ଆଜି ବାସ୍ତବରେ ସବୁ ଚର୍ଚ୍ଚାରେ ବିରାମ ପଡିଲା! ବିଜେପି ଅବଶେଷେ ଖୋଲିଦେଲା ତାହାର ପତାକା , ଜୟ ଢୋଲକିଆ ହେଲେ ବିଜେପିର ଅଧିକାରିକ ପ୍ରାର୍ଥୀ! ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ , ଯିଏ କେବଳ ରାଜନୀତିକ ମଞ୍ଚରେ ନୁହେଁ, ଲୋକମନଙ୍କ ମନରେ ମଧ୍ୟ ନୂଆ ଆଶା ଜଗାଇଛନ୍ତି, ସେ ଗତ ଅକ୍ଟୋବର ୧୧ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ।
ଏହି ଯୋଗଦାନ ପରେ ଆସିଥିଲା ଅନେକ ଅନୁମାନ ଓ ପ୍ରଶ୍ନ , “ଜୟ ହିଁ ବିଜେପିର ନୂଆପଡା ମୁହଁ?” ଆଉ ଶେଷରେ ଆଜି ସେହି ପ୍ରଶ୍ନର ଉତ୍ତର ମିଳିଯାଇଛି । ଗୁରୁବାର ଦିନ ନୂଆପଡାର ରାଜନୀତି ମଞ୍ଚ ହେବ ‘ସଫଳତାର ସାକ୍ଷୀ’।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜେ ଉପସ୍ଥିତ ହେବେ ଜୟଙ୍କ ନାମାଙ୍କନ ଦାଖଲ ବେଳେ। ଏହା କେବଳ ଏକ ନାମାଙ୍କନ ନୁହେଁ ,ଏକ ଶକ୍ତି ପ୍ରଦର୍ଶନ, ଏକ ରାଜନୀତିକ ‘ଜୟଯାତ୍ରା’!ଏଥିସହିତ ବିଜେପି ବିଶାଳ ସମାବେଶ ଓ ରୋଡ ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିବ।
ଯାହାର ମୋର୍ଚ୍ଚା ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହିତ ଏବେ ବିଜେପି ନୂଆପଡାରେ ବଳ ଗୋଟାଉଥିବା ବେଳେ ଅନେକ ବିଜେଡି ଏବଂ କଂଗ୍ରେସ କର୍ମୀ ଏବେ ବିଜେପିର ଯୋଗ ଦେଉଛନ୍ତି । ଏହାକୁ ନେଇ ବିଜେପି ଆସନ୍ତାକାଲି ନୂଆପଡାରେ ବଡ ସମାବେଶ କରିବାକୁ ଯାଉଛି । ଯେଉଁଥିରେ ହଜାର ହଜାର କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ।
