ନ୍ୟୁଜ ଡେକ୍ସ : ଆଜି ପଞ୍ଜାବରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରୋପର୍ ରେଞ୍ଜର DIG ଏବଂ ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ହରଚରଣ ସିଂହ ଭୁଲ୍ଲରଙ୍କୁ ଲାଞ୍ଚ ନେବା ବେଳେ ସିବିଆଇ ମାଡି ଧରିଛି। ସିବିଆଇ ସୂତ୍ର ଅନୁସାରେ, ସେ ୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ହାତେନାତେ ଧରାପଡିଛନ୍ତି।ଏହି ଘଟଣା ପରେ ସିବିଆଇ ଦଳ ପଞ୍ଜାବ ଓ ଚଣ୍ଡିଗଡ଼ରେ ବିଶାଳ ରେଡ୍ ଜାରି ରଖିଛି।
ଭୁଲ୍ଲରଙ୍କ ଘର ଓ ଅନ୍ୟ ସଂପର୍କିତ ସ୍ଥାନରେ ହୋଇଥିବା ଚଢ଼ାଉ ଅଭିଯାନରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଅଳଙ୍କାର ଓ ଅସ୍ଥାବର-ସ୍ଥାବର ସମ୍ପତ୍ତି ଜବତ କରାଯାଇଛି।ସିବିଆଇ ଉତ୍ସ ସୂଚନା ଅନୁଯାୟୀ, ଜବତ ହୋଇଥିବା ନଗଦର ପରିମାଣ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଆଶଙ୍କା। ସେହିପରି ପ୍ରାୟ ଦେଢ଼ କିଲୋଗ୍ରାମ୍ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି।DIG ଙ୍କ ସହ ଏକ ମଧ୍ୟସ୍ଥଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ସିବିଆଇ ପକ୍ଷରୁ ଜଣାଇଯାଇଛି ଯେ, ଲାଞ୍ଚ ମାମଲା ଏବଂ ଅନେକ ଅସାଧୁ ଚଳଚଳନ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।ଏହାବ୍ୟତୀତ ଗୋଟିଏ ମର୍ସିଡିଜ୍ ଏବଂ ଅଡିକୁ ବି ସିଜ୍ କରିଛି ସିବିଆଇ।
କେବଳ ଏତିକି ନୁହେଁ, ସଂପୃକ୍ତ ଆଇପିଏସଙ୍କ ଘରୁ ୨୨ଟି ଘଣ୍ଟା, ୪୦ ଲିଟର ଇମ୍ପୋଟେଡ୍ ମଦ ବୋତଲ, ଗୁଳି ସହିତ ଅସ୍ତ୍ରଶସ୍ତ୍ର ଜବତ କରିଛି। ଡିଆଇଜିଙ୍କ ପାଖରେ ଦେଢ଼ କିଲୋଗ୍ରାମରୁ ଅଧିକ ସୁନା, ୧୫ରୁ ଅଧିକ ସ୍ଥାନରେ ସମ୍ପତ୍ତି ଏବଂ ଅନେକ ବିଳାସପୂର୍ଣ୍ଣ କାର ଅଛି। ମଧ୍ୟସ୍ଥିଙ୍କଠାରୁ ୨୧ ଲକ୍ଷ ଟଙ୍କା ନଗଦ ଉଦ୍ଧାର କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।
