ନ୍ୟୁଜ ଡେକ୍ସ : ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାରେ ଏବେ ଆସିଛି ନୂଆ ମୋଡ଼। ଅଭିଯୁକ୍ତ ଦୀପକ କୁମାର ରାଉତଙ୍କ ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିଛି ପୋଲିସ। ପୂର୍ବରୁ ପୋଲିସ ସେଥିପାଇଁ ସମ୍ବନ୍ଧିତ ବ୍ୟାଙ୍କକୁ ଚିଠି ଲେଖିଥିଲେ।
ଏବେ ସେମାନଙ୍କ ହାତରେ ଆସିଛି ହଜାରେ ପୃଷ୍ଠାର ଟ୍ରାଞ୍ଜାକସନ ତଥ୍ୟ, ଯେଉଁଥିରେ ୨୦୧୮ ରୁ ୨୦୨୫ ମଧ୍ୟରେ ହୋଇଥିବା ସମସ୍ତ ଅର୍ଥଗତ ଚାଳଚଳା ସମ୍ପର୍କୀୟ ସୂଚନା ରହିଛି।ପୋଲିସ ସୂତ୍ର ଅନୁସାରେ, ଦୀପକ ୨୦୧୮ ବ୍ୟାଚରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଶୁଭମିତ୍ରା ସହ ବିବାହ ପରେ ସେମାନଙ୍କ ମଧ୍ୟରେ ହୋଇଥିବା ୨୦ ଲକ୍ଷ ଟଙ୍କା ନେଣଦେଣ ନେଇ ତଦନ୍ତ ଚାଲିଛି। ଦୀପକ ନିଜ ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଇନସ୍ୟୁରାନ୍ସ ବାବଦରେ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲେ।
ଶୁଭମିତ୍ରା ସେହି ଟଙ୍କାରୁ ୨୦ ଲକ୍ଷ ଦାବି କରୁଥିଲେ ବୋଲି ଦୀପକ ପୋଲିସକୁ କହିଥିଲେ।ତେବେ ଓ୍ୱାଟସଅପ୍ ଚାଟିଂ ତଦନ୍ତରେ ସ୍ପଷ୍ଟ ହୋଇଛି ଯେ, ୨୦ ଲକ୍ଷ ଟଙ୍କା ଶୁଭମିତ୍ରା ଦୀପକଙ୍କୁ ଦେଇଥିଲେ। ତଦନ୍ତ ବେଳେ ଦୀପକ ଦାବି କରିଛନ୍ତି ଯେ ସେ ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କୁ ଫେରାଇ ଦେଇଥିଲେ।ଏହି ଘଟଣାର ଅର୍ଥଗତ ତଦନ୍ତ (Financial Investigation) ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ। ଦୀପକଙ୍କ ବ୍ୟାଙ୍କ ଟ୍ରାଞ୍ଜାକସନରୁ ମିଳୁଥିବା ତଥ୍ୟ ଆଧାରରେ ଶୀଘ୍ର ଚାର୍ଜସିଟ୍ ଦାଖଲ କରି ଟ୍ରାୟାଲ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପୋଲିସ ପ୍ରସ୍ତୁତି ନେଉଛି।

