Wed. Jun 3rd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ବିଦ୍ୟୁତ ନିୟମକ ଆୟୋଗ (OERC) ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଭୁବନେଶ୍ବର କ୍ଲବ ସଭାପତି ଭାବେ ନିର୍ବାଚିତ ହେବା ପରେ ଏହି ମାମଲା ଦାଏର ହୋଇଥିବା ସୂଚନା ମିଳିଛି।ଏହି ଜନସ୍ବାର୍ଥ ମାମଲା ସାମ୍ବାଦିକ ସୁବ୍ରତ କୁମାର ତ୍ରିପାଠୀଙ୍କ ପକ୍ଷରୁ ଦାଏର କରାଯାଇଛି।

ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଯେ, ଓଇଆରସି ଅଧ୍ୟକ୍ଷ ହେଇ ପ୍ରଦୀପ ଜେନା କିପରି ଏକ ସାମାଜିକ କ୍ଲବର ସଭାପତି ପଦ ଗ୍ରହଣ କରିପାରିଲେ। ମାମଲାରେ ଦର୍ଶାଯାଇଛି ଯେ, ଏହା ବିଦ୍ୟୁତ ଆଇନ ଓ ବିଦ୍ୟୁତ ସଂସ୍କାର ଆଇନର ଉଲ୍ଲଂଘନ।ଏହି ମାମଲା ସନ୍ଦର୍ଭରେ ପ୍ରଦୀପ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।ସୂଚନାଯୋଗ୍ୟ ଯେ, ମାସକ ପୂର୍ବେ ହୋଇଥିବା ଭୁବନେଶ୍ବର କ୍ଲବ ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ବିଜୟୀ ହୋଇଥିଲେ।

ନିର୍ବାଚନରେ ସଭାପତି ପଦ ପାଇଁ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ – ଅସୀତ ତ୍ରିପାଠୀ ଓ ପ୍ରଦୀପ ଜେନାଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ପ୍ରଦୀପ ଜେନା ବିଜୟୀ ହୋଇ କ୍ଲବର ସଭାପତି ହେବାର ସମ୍ମାନ ଅର୍ଜନ କରିଥିଲେ।ଅସୀତ ତ୍ରିପାଠୀ ଏହା ପୂର୍ବରୁ ଦୁଇଥର ସଭାପତି ଥିଲେ ଓ ଏଥର ତୃତୀୟ ଥର ପାଇଁ ମଞ୍ଚରେ ଥିବାବେଳେ ପ୍ରଦୀପ ଜେନା ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *