ନ୍ୟୁଜ ଡେକ୍ସ: ସାଇବର କ୍ରାଇମ୍ର ସାଂଘାତିକ ରୂପ ସାମନାକୁ ଆସିଛି। ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଜଣେ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଆରେଷ୍ଟ କଲେ। ୧୫ ମିନିଟ୍ରେ ଲକ୍ଷେ ଟଙ୍କା ନ ଦେଲେ ଫଟୋ ସୋଶାଲ ମିଡିଆରେ ଛାଡ଼ିବାର ଧମକ ଦେଲେ। ଏପରି ଶକ୍ତ ଝଟକାକୁ ସହି ନ ପାରି ଟଳି ପଡ଼ିଲେ ଶିକ୍ଷୟିତ୍ରୀ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଝିଅର ଏକ ସେକ୍ସ ଭିଡିଓ ଭାଇରାଲ୍ ହୋଇଛି ବୋଲି ମିଛ କଲ୍ ମିଳିବା ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟସ୍ ଆପ୍ କଲ୍ ଆସିଥିଲା। ଡିପିରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀଜଣକ ଫୋନ୍ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍ରେ ଲକ୍ଷେ ଟଙ୍କା ନ ଦେଲେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା।
ଏହି କଥାକୁ ମହିଳାଜଣକ ଯେପରି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମିଳିଥିଲା। ତେବେ ଏହି ଘଟଣା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା। ସେ ଦିନ ପ୍ରାୟ ୪.୦୦ ସମୟରେ ସ୍କୁଲରୁ ଫେରିବା ପରେ ନିଜକୁ ଅସୁସ୍ଥ ଅନୁଭବ କରିବାକୁ ଲାଗିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ମୃତ ଘୋଷଣା କରାଯାଇଥିଲା।