ନ୍ୟୁଜ ଡେକ୍ସ: ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନ ଗସ୍ତରେ ଯିବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ତାଙ୍କର ଏହି ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଜୟଶଙ୍କର ଆସନ୍ତା ୧୫ ଓ ୧୬ ତାରିଖରେ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଚଳିତ ବର୍ଷ ପାକିସ୍ତାନ ଅଧ୍ୟକ୍ଷତାରେ ଏସସିଓ ବୈଠକ ହେବ। ଭାରତକୁ ବୈଠକରେ ଯୋଗ ଦେବା ଲାଗି ପାକିସ୍ତାନ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବାସ୍ତବରେ ଆଞ୍ଚଳିକ ସ୍ଥିରତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏସସିଓ ବୈଠକ ଅନୁଷ୍ଠିତ ହେଉଛି; ଯେଉଁଥିରେ ଚୀନ୍, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶ ସହ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।
ଜୟଶଙ୍କରଙ୍କ ଉପସ୍ଥିତି ମଧ୍ୟ ଏହି ଆଞ୍ଚଳିକ ଫୋରମରେ ଭାରତର ଭୂମିକା ଏବଂ ପ୍ରଭାବକୁ ସୃଦୃଢ କରିବ। ୧୫ରୁ ୧୬ ଅକ୍ଟୋବର ଦୁଇ ଦିନ ଧରି ଏସସିଓର ସମ୍ମିଳନୀ ଅନୁଷ୍ଠିତ ହେବ । ପାକିସ୍ତାନ ସହିତ ତିକ୍ତ ସମ୍ପର୍କ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି।