ନ୍ୟୁଜ ଡେକ୍ସ :ଟେସଲା ଏବଂ ସ୍ପେସ୍ଏକ୍ସର ସିଇଓ ଏଲୋନ୍ ମସ୍କ ଆମେରିକାର ପ୍ରଗତିରେ ଭାରତୀୟ ପ୍ରତିଭାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ପଷ୍ଟ ଭାବେ ସ୍ୱୀକାର କରିଛନ୍ତି। ଏକ ନୂତନ ପୋଡକାଷ୍ଟ କାର୍ଯ୍ୟକ୍ରମରେ ସେ କହିଛନ୍ତି, H-1B ଭିଜାକୁ ବନ୍ଦ କରିଲେ ଆମେରିକା ପାଇଁ ଏହା “ଅତ୍ୟନ୍ତ ବିପଜ୍ଜନକ ଏବଂ ହାନିକାରକ” ସାବିତ ହେବ।
ରବିବାର ୟୁଟ୍ୟୁବ୍ରେ ପ୍ରସାରିତ ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମତଙ୍କ ପୋଡକାଷ୍ଟ ‘WTF is’ର ନୂତନ ଏପିସୋଡରେ ମସ୍କ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ପ୍ରତିଭାଶାଳୀ ଭାରତୀୟମାନଙ୍କଠାରୁ ବହୁତ ଲାଭ ଉଠାଇଛି। H-1B ଭିଜା ବନ୍ଦ କରିବାକୁ ଯେଉଁମାନେ ଚାହୁଁଛନ୍ତି, ସେମାନେ ଏହାର କୁପ୍ରଭାବକୁ ବୁଝିପାରୁନାହାନ୍ତି।”ମସ୍କ କହିଛନ୍ତି, ଆମେରିକା ସଦା ସାରା ବିଶ୍ୱରୁ ସବୁଠୁ ବୁଦ୍ଧିମାନ ଓ କୁଶଳୀ ଲୋକଙ୍କୁ ଆକର୍ଷିତ କରିଆସୁଛି। ଏହାର ଫଳରେ ଭାରତରୁ ପ୍ରତିଭା ପ୍ରବାହକୁ ‘ବ୍ରେନ୍ ଡ୍ରେନ୍’ ବୋଲି କୁହାଯାଉଥିଲେ ମଧ୍ୟ, ଆମେରିକୀୟ ଟେକ୍ ଶିଳ୍ପ ଏଥିରୁ ବ୍ୟାପକ ଲାଭାନ୍ୱିତ ହୋଇଛି।
ତେବେ ସେ H-1B କାର୍ଯ୍ୟକ୍ରମରେ କିଛି ଅପବ୍ୟବହାର ଓ ନିୟମ ଉଲ୍ଲଂଘନ ଘଟୁଥିବାକୁ ମଧ୍ୟ ସ୍ୱୀକାର କରିଛନ୍ତି। ବିଶେଷକରି କିଛି ଆଉଟସୋର୍ସିଂ କମ୍ପାନୀ ସିଷ୍ଟମକୁ ଠକୁଥିବା ଦେଖାଯାଉଛି ବୋଲି ସେ କହିଛନ୍ତି। ତଥାପି ମସ୍କଙ୍କ ମତ, “ସମସ୍ୟାର ସମାଧାନ ହେଉଛି ଅପବ୍ୟବହାରକୁ ବନ୍ଦ କରିବା, ପ୍ରୋଗ୍ରାମକୁ ବନ୍ଦ କରିବା ନୁହେଁ।”ସେ ଆହୁରି କହିଛନ୍ତି, “ମୋର ଅନୁଭବରୁ କହୁଛି, ପ୍ରତିଭାଶାଳୀ ଲୋକଙ୍କର ସବୁବେଳେ ଅଭାବ ରହିଥାଏ।
ଅଧିକ ପ୍ରତିଭା ଆସିଲେ ଏହା ଦେଶ ପାଇଁ ବିପଦ ନୁହେଁ, ବରଂ ଲାଭଦାୟକ। ଆମ କମ୍ପାନୀ ସାରା ପୃଥିବୀରୁ ସର୍ବୋତ୍ତମ ପ୍ରତିଭାକୁ ନେବାକୁ ଚେଷ୍ଟା କରୁଛି।”ଏଲୋନ୍ ମସ୍କଙ୍କ ଏହି ବୟାନ ପରେ H-1B ଭିଜା ବିବାଦ ନେଇ ପୁଣି ଚର୍ଚ୍ଚା ତେଜିଛି। ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ, ଭାରତୀୟ ପ୍ରତିଭା ବିନା ଆମେରିକୀୟ ଟେକ୍ ଶିଳ୍ପର ଉନ୍ନତି କଳ୍ପନା କରିବା ମୁସ୍କିଲ।

