Sat. Apr 18th, 2026

ନ୍ୟୁଜ ଡେକ୍ସ : ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ଘଟଣା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) ଦେଶର ବିଭିନ୍ନ ସ୍ଥାନରେ ବଡ଼ଧରଣର ଚଢ଼ଉ ଅଭିଯାନ ଆରମ୍ଭ କରିଛି। ଏହି କ୍ରମରେ ଜମ୍ମୁ–କାଶ୍ମୀରର ପୁଲୱାମା ଏବଂ ସୋପିଆନ୍‌ ଜିଲ୍ଲାରେ ମଧ୍ୟ ଧଡ଼ାଧଡ଼ ରେଡ୍ ଚାଲିଛି। ଦିଲ୍ଲୀ ବିସ୍ଫୋରଣ ମାମଲାର ଅଭିଯୁକ୍ତମାନଙ୍କ ସହ ସଂପୃକ୍ତ ସନ୍ଦେହରେ ଏହି ସ୍ଥାନଗୁଡ଼ିକରେ ତଲାସି ଜୋରଦାର କରାଯାଇଛି।ଅନ୍ୟପଟେ, ଏହି ବିସ୍ଫୋରଣ ମାମଲାର ସୂତ୍ର ବିହାରର ଖଗଡ଼ିଆ ଜିଲ୍ଲା ସହ ସଂଯୁକ୍ତ ଥିବା ଜଣାପଡ଼ିଛି।

NIA ଗତରାତିରୁ ମାନସୀ ଥାନା ଅଞ୍ଚଳର ସୈଦପୁର ଗାଁରେ ରହୁଥିବା ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମହମ୍ମଦ ହାଦିଙ୍କ ଘରେ ଚଢ଼ଉ ଚଳାଇଛି। ପ୍ରାୟ ରାତି ୩ଟା ସମୟରେ NIAର ୬ ଜଣିଆ ଟିମ୍ ହଠାତ୍ ତାଙ୍କ ଘରେ ପହଞ୍ଚିଥିଲେ।ସେ ସମୟରେ ପରିବାର ଲୋକେ ଘୁମେଇଥିବା ବେଳେ ଘର ମୁଖ୍ୟ ଦ୍ୱାରରେ ତାଲା ଲାଗିଥିଲା। NIA ଅଧିକାରୀମାନେ କାନ୍ଥ ଡେଇଁ ଭିତରକୁ ପଶି ନିଜ ପରିଚୟ ଦେବା ସହ ତଲାସି କାର୍ଯ୍ୟ ଆରମ୍ଭ କରିଥିଲେ। ଘର କାନ୍ଥରେ ମେଟାଲ୍ ଡିଟେକ୍ଟର ଲଗାଇ ବିସ୍ଫୋରକ ପଦାର୍ଥ ଖୋଜାଯାଇଥିଲା। ସହିତ ଲାପଟପ୍, ମୋବାଇଲ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ସ୍କାନ୍ କରାଯାଇଥିଲା। ତଦାପି, ସୁରକ୍ଷା ଦୃଷ୍ଟିକୋଣରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ଏବଂ ପଡ଼ୋଶୀମାନଙ୍କୁ ଗଳିଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା।

ଚଢ଼ଉ ସମୟରେ ମହମ୍ମଦ ହାଦିଙ୍କ ପୁଅଙ୍କର ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇ ଫରେନ୍‌ସିକ୍ ପରୀକ୍ଷା ପାଇଁ ପଠାଯାଇଛି।NIA ପକ୍ଷରୁ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଗିରଫଦାରି ସମ୍ପର୍କରେ ଆଧିକାରିକ ସୂଚନା ମିଳିନଥିଲେ ମଧ୍ୟ, ଦିଲ୍ଲୀ ବିସ୍ଫୋରଣ ମାମଲାର ସମସ୍ତ କଡ଼ିକୁ ଯୋଡ଼ି ଗଭୀର ଭାବେ ତଦନ୍ତ ଜାରି ରଖାଯାଇଛି।

Leave a Reply

Your email address will not be published. Required fields are marked *