ନ୍ୟୁଜ ଡେକ୍ସ : ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ରୁଷର ଅତ୍ୟାଧୁନିକ ଓ ବିଶ୍ୱ-ସୁରକ୍ଷିତ ବିମାନ IL-96-3000 ଯୋଗେ ସେ ପାଲାମ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହି ତାଙ୍କ ଘନିଷ୍ଠ ବନ୍ଧୁ ପୁଟିନଙ୍କୁ ଭବ୍ୟ ଭାବେ ସ୍ୱାଗତ କରିଛନ୍ତି।ପୁଟିନଙ୍କ ଭାରତ ଗସ୍ତ ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ତାଙ୍କ ପାଇଁ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟ ଗଠନ କରାଯାଇଛି। ଏହି ବଳୟରେ ପୁଟିନଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ, ଏକ ଡମି ପୁଟିନ, ଖାଦ୍ୟ ନମୁନା ପରୀକ୍ଷା ପାଇଁ ବିଶେଷଜ୍ଞ ଦଳ ଏବଂ ବାହ୍ୟ ବଳୟରେ ନିୟୋଜିତ NSG କମାଣ୍ଡୋ ଅନ୍ତର୍ଭୁକ୍ତ ଅଛନ୍ତି। ପୁଟିନଙ୍କ ବିମାନ ଅବତରଣ କରିବା ସହିତ ସମସ୍ତ ସୁରକ୍ଷା ସ୍ତର ସକ୍ରିୟ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି।ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ। ଏହି ଦୌରାଣ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଓ ରଣନୈତିକ ଚୁକ୍ତି ହେବାର ସମ୍ଭାବନା ରହିଛି।
ସୁରକ୍ଷା, ବାଣିଜ୍ୟ, ଉର୍ଜା ଏବଂ ବିଶ୍ୱ ରାଜନୀତି ସମ୍ପର୍କିତ ଏକାଧିକ ବିଷୟ ଏହି ବୈଠକରେ ଆଲୋଚନା ହେବ ବୋଲି ବିଶ୍ୱ ଦୃଷ୍ଟି ରହିଛି। ଦିଲ୍ଲୀରେ ପୁଟିନଙ୍କ ରହଣି ପାଇଁ ଆଇଟିସି ମୌର୍ଯ୍ୟ ହୋଟେଲର ଚାଣକ୍ୟ ସୁଟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି। ଏହି ସୁଟ୍ରେ ପୂର୍ବରୁ ବାରାକ ଓବାମା, ସି ଜିନପିଙ୍ଗ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ବିଶ୍ୱନେତାମାନେ ମଧ୍ୟ ରହିଛନ୍ତି। ଗୋଟିଏ ରାତିର ରହଣି ଖର୍ଚ୍ଚ ୮ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ସୁଟ୍ଟିରେ ବୁଲେଟ୍ ପ୍ରୁଫ୍ ଗ୍ଲାସ୍, ପ୍ରାଇଭେଟ୍ ଜିମ୍, ସାଉନା, ଷ୍ଟିମ୍ ରୁମ୍, ୨୪ ଘଣ୍ଟିଆ ବଟଲର୍ ସେବା, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ରାଜକୀୟ ଆଭ୍ୟନ୍ତରୀଣ ସଜାଣ ସୁବିଧା ରହିଛି।
ପୁଟିନଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦଳ ପୂର୍ବରୁ ଦିଲ୍ଲୀରେ ଉପସ୍ଥିତ ରହି ବାସସ୍ଥାନ ଓ ସମସ୍ତ କାର୍ଯ୍ୟକ୍ରମ ସ୍ଥଳର ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି।ଭାରତ ଓ ରୁଷ ମଧ୍ୟରେ ଦୀର୍ଘଦିନର କୂଟନୀତିକ, ବାଣିଜ୍ୟିକ ଓ ସାମରିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଦୃଷ୍ଟିରୁ ପୁଟିନଙ୍କ ଏହି ଭାରତ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣାଯାଉଛି।

